ଦ୍ୱାଦଶ ପରୀକ୍ଷା ଦ୍ୱନ୍ଦ୍ୱ: ନିଷ୍ପତ୍ତି ଅପେକ୍ଷାରେ ଛାତ୍ରଛାତ୍ରୀ

ପରୀକ୍ଷା ସପକ୍ଷରେ ଶିକ୍ଷାବିତ୍‌, ଠିକ୍‌ ସମୟରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ସିବିଏସ୍‌ଇ, ସିଆଇଏସ୍‌ସିଇ ସମେତ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଅନିଶ୍ଚିତତା ଲାଗିରହିଛି। କେବେ ଓ କେଉଁ ପଦ୍ଧତିରେ ପରୀକ୍ଷା ହେବ ନା ବାତିଲ୍‌ କରାଯିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବୈଠକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସପକ୍ଷରେ ମତପ୍ରକାଶ ପାଇଥିଲା। ଗୋଟିଏ ଦୁଇଟି ରାଜ୍ୟକୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରୀକ୍ଷା ସମ୍ପର୍କରେ ମତପ୍ରକାଶ କରିଥିଲେ। ତା’ପରେ ବି ବିବାଦ ଥମୁ ନାହିଁ।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ପରୀକ୍ଷା ବାତିଲ୍‌ କରି ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ ଲାଗି ସାରା ଦେଶରେ କେତେଜଣ ଅଭିଭାବକ, ସ୍କୁଲ କର୍ତୃପକ୍ଷ ଓ ଛାତ୍ରଛାତ୍ରୀ ଦାବି ଜଣାଇଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟରେ ବି ମାମଲା ଚାଲିଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ଜୁନ୍‌ ୩ ତାରିଖ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥିବାରୁ ସବୁ ମହଲ ଏହାକୁ ଉତ୍ସୁକତାର ସହ ଅନେଇ ରହିଛନ୍ତି। ସେପଟେ ସିବିଏସ୍‌ଇ, ସିଆଇଏସ୍‌ସିଇ ପରି କେନ୍ଦ୍ରୀୟ ବୋର୍ଡ ଯେଉଁ ଢାଞ୍ଚା ଆପଣାଇବ ଓଡ଼ିଶା ବୋର୍ଡ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷ‌ା ପରିଷଦ ମଧ୍ୟ ସେହି ଅନୁଯାୟୀ ନିଷ୍ପତ୍ତି ନେବ ବୋଲି ଗଣଶିକ୍ଷା ବିଭାଗ ସ୍ଥିର କରିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୁନ୍‌ ପହିଲା ତଥା ମଙ୍ଗଳବାର କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ତେବେ ସୁପ୍ରିମକୋର୍ଟରେ ପରବର୍ତୀ ଶୁଣାଣି ଜୁନ୍‌ ୩ରେ ହେବା‌କୁ ଥିବାରୁ ରାଜ୍ୟ ସରକାର ତାହା ଉପରେ ନଜର ରଖିଛନ୍ତି।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ନୀଳକଣ୍ଠ ପାଣିଗ୍ରାହୀଙ୍କ କହିବାନୁଯାୟୀ ଏବେ ଦେଶରେ କରୋନା ସ୍ଥିତି ଯାହା ରହିଛି ସେଥିରେ ଅଧିକାଂଶ ଅଭିଭାବକ ରିସ୍କ ନେଇ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିବେ ନାହିଁ। କାରଣ ବର୍ତମାନ ସମୟରେ ପିଲାମାନେ କୌଣସି ନା କୌଣସି ପ୍ରକାରେ କରୋନା ଦ୍ବାରା ପ୍ରଭାବିତ ହୋଇଛନ୍ତି। ସେମାନେ ପରୀକ୍ଷା ଦେବା ଲାଗି ମାନସିକ ଭାବେ କେ‌ତେଦୂର ପ୍ରସ୍ତୁତ ଅଛନ୍ତି ତାହା ବି ଆମକୁ ଦେଖିବାକୁ ପଡ଼ିବ। ସିବିଏସ୍‌ଇ ଓ କେନ୍ଦ୍ର ସରକାର ଚାହିଁଲେ ବିକଳ୍ପ ମୂଲ୍ୟାୟନରେ ମାର୍କ ପ୍ରଦାନ କରିପାରନ୍ତି। ତେବେ ଏହାଦ୍ବାରା ମେଧାବୀ ପିଲା କିଛି ମାତ୍ରାରେ ପ୍ରଭାବିତ ହେବେ। ତା’ପରେ ବି ଯାହା ବି କିଛି ନିଷ୍ପତ୍ତି ନିଆଯାଉଛି ପିଲାଙ୍କ ସପକ୍ଷରେ ରହୁ।

ଶିକ୍ଷାବିତ୍‌ ବାସୁଦେବ ଛା ଟୋଇଙ୍କ ମତରେ ଓଡ଼ିଶା ସରକାର ସିବିଏସ୍‌ଇ ବୋର୍ଡକୁ ଅପେକ୍ଷା କରିବାକୁ ପଡ଼ିବ। ପରିସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ତେଣୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ପରୀକ୍ଷା କରାଯିବା ନିହାତି ଆବଶ୍ୟକ। ପରୀକ୍ଷା କରା ନ ଗଲେ ମେଧାବୀ ପିଲାମାନେ ବହୁ ପରିମାଣରେ ଅସୁବିଧାର ସମ୍ମୁଖୀନ ହେବେ। ଉପଯୁକ୍ତ ନ୍ୟାୟ ପାଇବେ ନାହିଁ। ତେବେ ପରୀକ୍ଷା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ବୋର୍ଡ ପିଲାଙ୍କୁ ପରୀକ୍ଷା ପଦ୍ଧତି ସମ୍ପର୍କରେ ଆଗୁଆ କହିଦେବାର ଆବଶ୍ୟକତା ରହିଛି। ଯଦି କରୋନା ସ୍ଥିତି ନ ସୁଧୁରେ ତେବେ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଏବେଠାରୁ ସିବିଏସ୍‌ଇ ଓ ଓଡ଼ିଶା ବୋର୍ଡ ପ୍ରସ୍ତୁତ ହୋଇ ରହିବା ଦରକାର। ଶିକ୍ଷାବିତ୍‌ ପ୍ରବୋଧ କୁମାର ପଣ୍ଡାଙ୍କ କହିବାନୁଯାୟୀ ପରୀକ୍ଷା ହେବା କଥା। ଦଶମ ଶ୍ରେଣୀ ପରି ଯୁକ୍ତ୨ ପରୀକ୍ଷା ନୁହେଁ। ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ରହିଥିବାରୁ ପରୀକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ। କିଛି ନ ହେଲେ ୪୫ ମିନିଟ୍‌ର ସଂକ୍ଷିପ୍ତ ପ୍ରଶ୍ନପତ୍ର କରାଯାଇ ପରୀକ୍ଷା ହେଉ। ଏକାଥରେ ସବୁ ପିଲାଙ୍କୁ ଡକା ନ ଯାଇ ପର୍ଯ୍ୟାୟକ୍ରମେ ସ୍କୁଲକୁ ଡକାଯାଇପାରେ। ସବୁ ବିଷୟରେ ପରୀକ୍ଷା କରା ନ ଯାଇ ନିର୍ଦ୍ଦିଷ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ୪ଟି ବିଷୟରେ ପରୀକ୍ଷା କରାଯାଉ। ଏବେ ଦେଶରେ କରୋନା ସଂକ୍ରମଣ କମୁଛି। ତେଣୁ ଆଉ ୧୫ରୁ ୨୦ ଦିନ ଭିତରେ ଆହୁରି ସଂକ୍ରମଣ କମିଯିବାର ସମ୍ଭାବନା ରହିଛି। ତେଣୁ ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ପରୀକ୍ଷା କରାଯିବା ସହ ଫଳ ବାହାରିପାରିବ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସିବିଏସଇ ଦ୍ବାଦଶ ପରୀକ୍ଷା ନିଷ୍ପତ୍ତିକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି। ପରୀକ୍ଷା ସମ୍ପର୍କିତ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସିବିଏସଇ ପରୀକ୍ଷା ନିଷ୍ପତ୍ତି ଯାହା ଆସିବ ସେହି ଅନୁଯାୟୀ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ନେଇ ନିଷ୍ପତ୍ତି ହେବ। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜୁନ ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ହେବ। ଏବାବଦରେ ବିଚାରବିମର୍ଶ ଚାଲିଛି। ଠିକ୍‌ ସମୟରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର