ଧର୍ମଶାଳା : ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍ ଜବରଦଖଲ କରିଥିବା ୧୨ଜଣ ଅଭିଯୁକ୍ତଙ୍କୁ ଧର୍ମଶାଳା ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେଓଦା ପଞ୍ଚାୟତ ଚଇନିହୁଡା ଗ୍ରାମର ପ୍ରଭାକର ନାୟକ(୪୫), କେଶବ ତରାଇ(୫୪), ବଳରାମ ତରାଇ(୩୦), ଅର୍ଜୁନ ତରାଇ(୨୭), ସିଲୁ ନାୟକ(୨୫), ହେମନ୍ତ ଦାସ(୩୫), ଗଜେନ୍ଦ୍ର ନାୟକ(୨୮), ଶ୍ରୀଧର ତରାଇ(୩୪), ନୀଳମଣି ତରାଇ(୪୬), ନିର୍ମଳ ତରାଇ(୩୦), ଜଳଧର ତରାଇ(୨୩) ଓ ଧ୍ରୁବଚରଣ ନାୟକ (୩୭)। ଏହି ସମସ୍ତଙ୍କୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।

Advertisment

ଦେଓଦା ପଞ୍ଚାୟତ ଚଇନିହୁଡ଼ା ଗ୍ରାମର ୬ ଓ ୭ନମ୍ବର ବୁଥ୍ ଏବଂ ଅରାବଳ ପଞ୍ଚାୟତର ନାଳକୂଳ ଗାଁର ୮ନମ୍ବର ବୁଥ୍‌ରେ ଅଭିଯୁକ୍ତମାନେ ପଶି ଜବରଦଖଲ କରିବା ସହିତ ବାଲାଟ୍ ପେପର ଚିରି ଫିଙ୍ଗିଥିଲେ। କିଛି ଅସାମାଜିକ ବ୍ୟକ୍ତି ବଳପୂର୍ବକ ମନଇଚ୍ଛା ଭୋଟ୍ ଦେଇଥିଲେ। ଗଣ୍ତଗୋଳ ଖବର ପାଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ରାହୁଲ ପିଆର୍ ପହ‌ଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଭୋଟ୍ ଗ୍ରହଣ ବନ୍ଦ କରିଦେଇଥିଲେ। ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ କରିବା ପାଇଁ ଜିଲ୍ଲାପାଳ ନିର୍ବାଚନ କମିସନଙ୍କୁ ସୁପାରିସ କରିଥିଲେ। ପରେ ଏନେଇ ଧର୍ମଶାଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ପିଙ୍କ ନିର୍ଦେଶକ୍ରମେ ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, କୋରେଇ ଆଇଆଇସି ରଞ୍ଜିତ ମହାନ୍ତି, ଜେନାପୁର ଆଇଆଇସି ଉମାକାନ୍ତ ନାୟକ, ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ଏକ ପ୍ଲାଟୁନ ପୁଲିସ୍‌ ଫୋର୍ସ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଇନହୁଡ଼ାରୁ ୧୨ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଅରାବଳ ପଞ୍ଚାୟତ ନାଳକୂଳ ଗ୍ରାମର ୮ନମ୍ବର ବୁଥ୍ ଜବରଦଖଲ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିନାହିଁ। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସେହିପରି ଅରାବଳ ପଞ୍ଚାୟତର ୧୫, ୧୬ ଓ ୧୭ ନମ୍ବର ବୁଥରେ ରିଗିଂ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ପ୍ରଶାସନ ପକ୍ଷରୁ ଏହି ଭାଇରାଲ ଭିଡିଓକୁ ଯା‌ଞ୍ଚ କରାଯାଉଛି ବୋଲି ଧର୍ମଶାଳା ବିଡିଓ ଅରବିନ୍ଦ ବେହେରା କହିଛନ୍ତି। ସେମିତି ଏହି ପଞ୍ଚାୟତର ରାୟଧରାପୁର ଗ୍ରାମରେ ବୁଥ୍ ଜବରଦଖଲ ହୋଇଥିବା ନେଇ ସରପ‌ଞ୍ଚ ପ୍ରାର୍ଥିନୀ ଦୀପ୍ତିପ୍ରଭା ସେଠୀ ଆଜି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।