ଦିଗପହଣ୍ଡିରେ ନିଦ ହଜାଇଲେଣି ୧୨ଟିକିଆ ହାତୀପଲ, ବ୍ୟାପକ ଧାନ ନଷ୍ଟ

ଚାଙ୍ଗୁଡ଼ିଦେଇ ପାହାଡ଼ରୁ କେରାଣ୍ଡିମାଳ ମୁହାଁ, ଗତିବିଧି ନିରୀକ୍ଷଣ ପାଇଁ ୧୬ କର୍ମଚାରୀ ନିୟୋଜିତ

ଦିଗପହଣ୍ଡି: ଦିଗପହଣ୍ଡି ଅଞ୍ଚଳରେ ୧୨ଟିକିଆ ହାତୀପଲ ଚାଷୀଙ୍କ ନିଦ ହଜାଇଦେଇଛନ୍ତି। ରବିବାର ରାତିରେ ଘୁମୁସରରୁ ଆସିଥିବା ହାତୀପଲ ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ପାହାଡ ପାଦଦେଶରେ ଗତିବଧି ଜାରି ରଖିଥିଲେ। ବିଭିନ୍ନ ଗ୍ରାମାଞ୍ଚଳରେ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଖବରପାଇ ବନ କର୍ମଚାରୀ ମାନେ ବାଜା ବଜାଇବା ସହ ଲାଇଟ୍ ଜାଳି ହାତୀପଲଙ୍କୁ ଘଉଡ଼ାଥିଲେ। ବର୍ତ୍ତମାନ ହାତୀପଲ ବନବିଭାଗ ଦ୍ୱାରା କରିିଡ଼ର ଭାବେ ଚିହ୍ନଟ ଗୁହାଳପୁର, ନରସିଂହପୁର, ଘୋଡ଼ାପଲାଣ ଗ୍ରାମ ଦେଇ ବାସୁଦେବପୁର ଓ ବି.ତୁରୁବୁଡ଼ି ପଞ୍ଚାୟତ ମଧ୍ୟବର୍ତ୍ତୀ କେରାଣ୍ଡିମାଳ ପାହାଡ଼ରେ ରହିଥିବା ସୂଚନା ମିଳିଛି। ଆଦିବାସୀ ଅଧ୍ୟୁଷିତ ଅଡ଼୍ୟଗୁଡ଼ାରୀ, ବିରିବାଡିଆ, ମରେଇବାଡି, ସାନବୁରୁଡ଼ା ଓ ଚଢ଼େୟାଗରଦ ଗାଁ ନିକଟ ଜଙ୍ଗଲ ସଂଲଗ୍ନ ଗ୍ରାମରେ ପାଚିଲା ଧାନ ଖାଇବା ସହ କ୍ଷେତକୁ ନଷ୍ଟ କରୁଛନ୍ତି। ଫଳରେ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି।

ଅନ୍ୟପକ୍ଷରେ ଘୁମୁସର ଜଙ୍ଗଲରୁ ଆସିଥିବା ଏହି ହାତୀପଲରେ ଗୋଟିଏ ଦନ୍ତାହାତୀ ସମେତ ୫ ମାଈ ଏବଂ ୬ଟି ଛୁଆ ହାତୀ ଥିବା ଦିଗପହଣ୍ଡି ଡେପୁଟି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ପ୍ରକାଶ କରିଛନ୍ତି। ବନପାଳ କମଳ ପାତ୍ରଙ୍କ ନେତୃତ୍ଵରେ ତାଲିମପ୍ରାପ୍ତ ୨ଜଣ ହାତୀ ଟ୍ରାକର୍‌ଙ୍କ ସମେତ ୧୬ ଜଣ ବନକର୍ମଚାରୀଙ୍କୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବିଭିନ୍ନ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ହାତୀଙ୍କ ଜୀବନ ଯାଉଥିବାରୁ ବିଭାଗୀୟ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସଜାଗ ରହିଥିବା ସହକାରୀ ଯନ୍ତ୍ରୀ ଇଂ.ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ବନବିଭାଗର ପରାମର୍ଶକୁ ନଜରରେ ରଖି ହାତୀ ଯାଉଥିବା ରାସ୍ତାରେ ବିଦ୍ୟୁତ୍ ସରବରାହକୁ ଆବଶ୍ୟକସ୍ଥଳେ ବନ୍ଦ ରଖାଯିବ। କିନ୍ତୁ ହାତୀ ବର୍ତ୍ତମାନ ଦିଗପହଣ୍ଡି ସହରମୁହାଁ ହେବା ଚିନ୍ତାର ବିଷୟ ପାଲଟିଛି।
ଅନ୍ୟପକ୍ଷରେ ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବରୁ ହାତୀପଲ ଜନବସତି ମୁହାଁ ହେଉଥିବା ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ କହିଛନ୍ତି। ସେହିପରି ଦାନ୍ତ ପାଇଁ ଜଙ୍ଗଲରେ ଶିକାରୀ ମାନେ ଘୁରି ବୁଲୁଥିବାରୁ ଗୁଳିମାଡ଼ ଭୟରେ ହାତୀପଲ ସୁରକ୍ଷିତ ଅଞ୍ଚଳ ସନ୍ଧାନରେ ଅନ୍ୟ ଜଙ୍ଗଲକୁ ଚାଲି ଆସୁଥିବା ସାମାଜିକ କର୍ମୀ ଅଶେଷ ନାଥ ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର