ବହିଷ୍କୃତ ହେଲେ ୧୨ ନକଲି ଶିକ୍ଷକ

ନକଲି ଓଟିଇଟି ସାର୍ଟିଫିକେଟ୍‌ ପାଇଁ ୪ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ‌ରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ୧୨ ଜଣ ନକଲି ଶିକ୍ଷକଙ୍କୁ ଶେଷରେ ଶିକ୍ଷା ବିଭାଗ ବହିଷ୍କାର କରିଛି। ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଅଭିଯାନ ଚାଲିବା ପରେ ୧୨ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡ଼ିଥିଲ। ୩ ତାରିଖରେ ଏହି ୧୨ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେହିପରି ନକଲି ଓଟିଇଟି ସାର୍ଟିଫିକେଟ ଦେଇଥିବା ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଦୁଇ ଜଣଙ୍କୁ ଆଉଥରେ ସେମାନଙ୍କ ସାର୍ଟିଫିକେଟ ଦାଖଲ କରିବାକୁ ଚିଠି କରାଯାଇଛି।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ୍‌ ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ପାଇଥିବା ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ‌ହୋଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ୍‌ ସାର୍ଟିଫିକେଟ ଦେଇ ୧୨ଜଣ ଶିକ୍ଷକତା କରୁଥିବା ଜଣାପଡ଼ିଥିଲା। ସଂପୃକ୍ତ ବ୍ଲକର ବିଇଓ ପ୍ରଥମେ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପରେ ସେମାନଙ୍କ ଦରମା ବନ୍ଦ କରାଯାଇଥିଲା। ଇତିମଧ୍ୟରେ ସମସ୍ତଙ୍କ ନାମରେ ନିକଟସ୍ଥ ଥାନାରେ ବିଇଓଙ୍କ ପକ୍ଷରୁ ଅଭିଯୋଗ କରିବା ପରେ ଏକାଧିକ ଶିକ୍ଷକ ଗିରଫ ‌ହୋଇଥିବା ବେଳେ ଆଉ କିଛି ଶିକ୍ଷକ ଆଗୁଆ ଜାମିନରେ ମଧ୍ୟ ଆସିଥିଲେ। ଇତିମଧ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ତଦନ୍ତ କରାଯିବା‌ ସହିତ ନକଲି ସାର୍ଟିଫିକେଟ ଦେଇଥିବା ବିଶ୍ବବିଦ୍ୟାଳୟ ଚିଠି ଆଧାରରେ ୧୨ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଗତ ୩ ତାରିଖରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏହି ୧୨ ଜଣ ଶିକ୍ଷକଙ୍କୁ ବହିଷ୍କାର ସଂପର୍କିତ ଚିଠି ପ୍ରଦାନ କରିଛନ୍ତି।

ବ‌ହିଷ୍କୃତ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଯୋଡ଼ା ବ୍ଲକର କିରିବୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ଜେନା। ସେ ଗୌହାଟି ବିଶ୍ବବିଦ୍ୟାଳୟରୁ ବିଏଡ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସାର୍ଟିଫିକେଟ ଦାଖଲ କରିଥିଲେ। ମାତ୍ର ଏହା ନକଲି ବୋଲି ତଦନ୍ତରୁ ଜଣାପଡ଼ିଥିଲା। ତେଣୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ସାହରପଡା ବ୍ଲକର କୁଣ୍ଡଳା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୀତବାସ ରାଉତ ଏବଂ ବାଲିତୋଟା ବିଦ୍ୟାଳୟର ଶିକ୍ଷକ ସୁଧାଂଶୁଭୂଷଣ ପୁହାଣ ଗୌହାଟି ବିଶ୍ବବିଦ୍ୟାଳୟର ବିଏଡ୍‌ ପାସ୍‌ ସାର୍ଟିଫିକେଟ ଦେଇଥିଲେ ବି ତାହା ନକଲି ବୋଲି ତଦନ୍ତରୁ ଜଣାପଡ଼ିଥିଲା। ସାହରପଡା ବ୍ଲକର ଏହି ଦୁଇ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ହରିଚନ୍ଦନପୁର ବ୍ଲକର ଧୁରୁଡିଆମ୍ବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ମଲ୍ଲିକ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟରୁ ବିଏଡ୍‌ ପାସ୍‌ କରିଛନ୍ତି ବୋଲି ସାର୍ଟିଫିକେଟ ଦାଖଲ କରିଥିଲେ। ମାତ୍ର ତାହା ନକଲି ଥିଲା। ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେହିପରି ବାଂଶପାଳ ବ୍ଲକର ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କୁଶକଳା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଗୋପାଳ କୃଷ୍ଣ ମହାନ୍ତି ଏବଂ ଅଞ୍ଜର ବିଦ୍ୟାଳୟରେ ଶିକ୍ଷକତା କରୁଥିବା ପୁଣ୍ୟତୋୟା ଚକ୍ର ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ନକଲି ବିଏଡ୍‌ ପାସ୍‌ ସାର୍ଟିଫିକେଟ ଦେଇଥିଲେ। ଘଷିପୁରା ବ୍ଲକର ବାନରସେନା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁବାସିନୀ ଦାଶ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ନକଲି ସାର୍ଟିଫିକେଟ ଦେଇଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ହରିଚନ୍ଦନପୁର ବ୍ଲକର ଜାମୁଯୋଡି ସରକାରୀ ବିଦ୍ୟାଳୟ‌ରେ ଶିକ୍ଷୟିତ୍ରୀ ସ୍ବାଗତିକା ସାହାଣୀ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ନକଲି ସାର୍ଟିଫିକେଟ ଦେଇ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ହାଟଡିହିବ୍ଲକର ସେସୋ ବିଦ୍ୟାଳୟର ଶିକ୍ଷକ ସୁଜିତ କୁମାର ମହାନ୍ତି ଏବଂ ମଲ୍ଲୀପଶି ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ଦତ୍ତ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ପାସ୍‌ କରିଛନ୍ତି ବୋଲି ସାର୍ଟିଫିକେଟ ଦେଇଥିଲେ। ମାତ୍ର ତଦନ୍ତରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ଝୁମ୍ପୁରା ବ୍ଲକର ବ୍ରାହ୍ମଣଝରୀ ବିଦ୍ୟାଳୟର ଶିକ୍ଷକ ଆର୍ତ୍ତତ୍ରାଣ ଜେନା ଏବଂ ପାଟଣା ବ୍ଲକର ନିଶ୍ଚିତପୁର ବିଦ୍ୟାଳୟର ଦେବାଶିଷ ସେନାପତି ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ନକଲି ସାର୍ଟିଫିକେଟ ଦେଇ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ମୋଟାମୋଟି ଭାବେ ସମଗ୍ର ଜିଲ୍ଲାରୁ ନକଲି ସାର୍ଟିଫିକେଟ ଦେଇଥିବା ୧୨ ଜଣଙ୍କୁ ଚାକିରୁ ବହିଷ୍କାର କରାଯାଇଛି।

ଏଥିସହ ନକଲି ଓଟିଇଟି ସାର୍ଟିଫିକେଟ ଦେଇଥିବା ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଦୁଇ ଜଣଙ୍କୁ ଆଉଥରେ ସେମାନଙ୍କ ସାର୍ଟିଫିକେଟ ଦାଖଲ କରିବାକୁ ଚିଠି କରାଯାଇଛି। ଓଟିଇଟି ପାସ୍‌ କରି ଶିକ୍ଷକତା କରୁଥିବା ୮ଶହ ଶିକ୍ଷକଙ୍କର ଓଟିଇଟି ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ(ବିଏସ୍‌ଇ)ଚିଠି ଲେଖାଯାଇଥିଲା। ଏହି ୮୦୦ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ଯାଞ୍ଚ ସମୟରେ ୪ଜଣଙ୍କର ସାର୍ଟିଫିକେଟ ନକଲି ବୋଲି ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଏହାଛଡା ଆଉଦୁଇ ଜଣଙ୍କର ସାର୍ଟିଫିକେଟ ଅସ୍ପଷ୍ଟ ଅଛି ବୋଲି ଦର୍ଶାଯାଇଛି। ବୋର୍ଡ ପକ୍ଷରୁ ଏହି ଚିଠି ପାଇବା ପରେ ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କୁ ୩୦ ଦିନ ମଧ୍ୟରେ ପକ୍ଷ ରଖିବାକୁ ଡିପିସିଙ୍କ ପକ୍ଷରୁ ଚିଠି ହୋଇଛି। ସେହିପରି ‌ଯେଉଁ ଦୁଇ ଜଣଙ୍କର ସାର୍ଟିଫିକେଟ ଅସ୍ପଷ୍ଟ ଥିବାରୁ ଆଉଥରେ ସାର୍ଟିଫିକେଟ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର