ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ରୋହେନପଦର ଗ୍ରାମର ୧୨ ଜଣ ପ୍ରବାସୀ ଶ୍ରମିକ ତେଲେଙ୍ଗାନାରେ ବନ୍ଧକ ଥିବା ଜଣାପଡ଼ିଛି। ସେମାନଙ୍କୁ ସେଠାରେ ବିଭିନ୍ନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନେ ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।
ପ୍ରକାଶ ଯେ ରୋହେନପଦର ଗାଁର ୧୨ଜଣ ଶ୍ରମିକଙ୍କୁ ଗତବର୍ଷ ନୂଆଁଖାଇ ସମୟରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଚାହାରପାଣି ଗାଁର ଦାଦନ ଦଲାଲ କୈବର୍ତ୍ତ ହରପାଲ ଦାଦନ ଯିବାକୁ ଅଗ୍ରିମ ଟଙ୍କା ଦେଇଥିଲା। ଉକ୍ତ ଶ୍ରମିକମାନେ ତେଲଙ୍ଗାନା ରାଜ୍ୟ ସାଙ୍ଗରେଡ୍ଡି ଜିଲ୍ଲାକୁ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ଇଟାଭାଟି ମାଲିକ ଆର୍.ଡି. ଶଭକର ଶ୍ରମିକମାନଙ୍କୁ ବହୁତ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ରାମଚଣ୍ଡି ତାଣ୍ଡି ଜଣେ ଶ୍ରମିକ ଗତ ମାର୍ଚ୍ଚ ୩୧ତାରିଖ ଦିନ ଜ୍ବରରେ ଆକ୍ରାନ୍ତ ହେବାରୁ କାମକୁ ଯାଇ ପାରିନଥିଲେ। ଫଳରେ ମାଲିକ ତାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲା। କିଛି ଶ୍ରମିକ ତାଙ୍କୁ ବେହୋସ ଅବସ୍ଥାରେ ଚିକିତ୍ସା ପାଇଁ ସେଠାକାର ଡାକ୍ତରଖାନାକୁ ନେଉଥିଲେ। ବାଟରେ ପୁଣି ଗୁଣ୍ଡା ଲଗାଇ ନିସ୍ତୁକ ମାଡ଼ମାରିବା ସହିତ ସମସ୍ତଙ୍କ ଫୋନ୍କୁ ଛଡ଼ାଇ ନେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ଇଟାଭାଟିରେ ଦେବ ଜଗତ (୩୫), ବେଲ ଜଗତ (୩୦), ରୋହିତ ଜଗତ(୨୮), ମମି ଜଗତ(୧୮), ପଦ୍ମନୀ ଜଗତ(୪), ଭାରତୀ ଜଗତ(୩୦), ଲକ୍ଷ୍ମୀ ସୁନାନୀ (୨୫), ଦେବେନ୍ଦ୍ର ସୁନାନୀ(୨), ମୀନକେତନ ଛତରିଆ(୨୨), ଉମା ଛତରିଆ(୩୦), ରାମଚଣ୍ଡି ତାଣ୍ଡି(୨୬) ବନ୍ଧକ ଥିବା ଜଣାପଡ଼ିଛି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଖଡ଼ିଆଳ ଥାନାରେ ମଧ୍ୟ ଲଖିତ ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲାପାଳ, ଏସ୍ପି, ଖଡ଼ିଆଳ ବିଧାୟକଙ୍କ ସହ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି।