ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ, ସାର୍ବଜନୀନ ହେଲାନି ୧୦୨୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ

ନିରାଡ଼ମ୍ବରରେ ପାଳିତ ହେଲା ତିରୋଧାନ ଦିବସ

ଫୁଲବାଣୀ/ତୁମୁଡ଼ିବନ୍ଧ: ୧୨ ବର୍ଷ ତଳେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରା ଯାଇଥିଲା। ତେଣୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ପଡ଼ୁଥିବା ତାଙ୍କ ତିରୋଧାନ ଦିବସରେ ସ୍ବାମୀଜୀଙ୍କୁ ମନେ ପକାଇବା ପାଇଁ କନ୍ଧମାଳ ଜିଲ୍ଲାର ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ବଡ଼ଧରଣର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ହୋଇଥାଏ। ଏଥିସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ସ୍ମୃତିସଭା ଆୟୋଜିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଆଶ୍ରମରେ ନିରାଡ଼ମ୍ବର ସହକାରେ ସ୍ବାମୀଜୀଙ୍କ ତିରୋଧାନ ଦିବସ ପାଳିତ ହୋଇଛି।

୨୦୦୮ ମସିହା ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ଜଲେଶପଟ୍ଟା ଆଶ୍ରମ ଭିତରେ ପଶି ସ୍ବାମୀଜୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରା ଯାଇଥିଲା। ସ୍ବାମୀଜୀଙ୍କୁ ରକ୍ଷା କରିବାକୁ ଯାଇ କେତେ ଜଣ ଭକ୍ତ ଓ ଅନୁଗାମୀ ବି ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତଙ୍କ ଗୁଳିମାଡରେ ସ୍ବାମୀଜୀ ଓ ତାଙ୍କର ୪ ଜଣ ଅନୁଗତ ବି ଆଖି ବୁଜିଥିଲେ। ଏହାକୁ ନେଇ କନ୍ଧମାଳରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା। ପାଖାପାଖି ୨ ମାସ ଧରି ହିଂସା ଲାଗି ରହିଥିଲା। ଏଥିରେ ବହୁ ଲୋକ ମୃତାହତ ହୋଇଥିଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପ୍ରଥମେ ପୁଲିସ ତଦନ୍ତ କରିଥିବା ବେଳେ ତାପରେ ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆ ଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ କୋର୍ଟ ଦଣ୍ଡ ପ୍ରଦାନ କରିଥିବା ବେଳେ ଜଣେ ଖଲାସ ହୋଇଥିଲେ। ଏହି ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦଙ୍କ ସମେତ ଅନ୍ୟ କେତେ ଜଣଙ୍କ ନାମରେ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି।

ସରକାର ଏହି ଘଟଣାର ତଦନ୍ତ କମିସନ ଗଠନ କରିଥିଲେ। ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ର କମିସନ ସରକାରୀ ଓ ବେସରକାରୀ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ୨୦୧୨ ମସିହାରେ ଜଷ୍ଟିସ ଶ୍ରୀ ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ ନାଇଡୁଙ୍କୁ ତଦନ୍ତ କମିସନ ଭାବେ ନିଯୁକ୍ତି ଦିଆ ଯାଇଥିଲା। ନାଇଡୁ କମିସନ ଗତ ୨୦୧୫ ଡିସେମ୍ବରରେ ୧ହଜାର ୨୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ହେଲେ ତଦନ୍ତ କମିସନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ କରାଯାଇ ନାହିଁ। ଆଇନଶୃଙ୍ଖଳା ଦୃଷ୍ଟିରୁ ଚଳିତ ବର୍ଷ ଆଶ୍ରମ ପରିସର ଓ ବାହାରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରା ଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିବା ବେଳେ ଯାଞ୍ଚକୁ ଜୋରଦାର କରାଯାଇଛି। ଜନ୍ମାଷ୍ଟମୀ ପାଇଁ ଜିଲ୍ଲାରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ଏସ୍‌.ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର