ହରିଚନ୍ଦନପୁର : ଦୀର୍ଘ ୧୨ ବର୍ଷ ବିତିଲା। ହେଲେ ସାପୁଆ ନଦୀରେ ପୋଲ ନିର୍ମାଣ ନୋହିଲା। ଫଳରେ ସ୍ଥାନୀୟ ଅଧିବାସୀଙ୍କୁ ଦୁଇ କିମି ପରିବର୍ତ୍ତେ ୫ କିମି ଅଧିକ ବାଟ ଯିବାକୁ ପଡ଼ୁଛି।
ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତରେ ରହିଛି ଅଳଙ୍ଗ ଗ୍ରାମ। ଏହି ଗ୍ରାମରେ ୯୨ଟି ପରିବାର ବସବାସ କରନ୍ତି। ସେଥିରୁ ଅଧିକାଂଶ ପରିବାର ଜୁଆଙ୍ଗ ଜନଜାତିର। ପଞ୍ଚାୟତର ନନ୍ଦରା ଛକରୁ ଅଳଙ୍ଗ ଗ୍ରାମ ଦୂରତ୍ଵ ମାତ୍ର ଦୁଇ କିଲୋମିଟର। ଏହି ରାସ୍ତାର ଅଳଙ୍ଗ ଗାଁମୁଣ୍ଡରେ ସାପୁଆ ନାଳ ପ୍ରବାହିତ ହେଉଛି। ୧୨ ବର୍ଷ ତଳେ ଏହି ନାଳ ଉପରେ ଆଇଟିଡିଏ ବିଭାଗ ପକ୍ଷରୁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲରେ କେବଳ ପିଲର ଉଠିଛି। ପିଲାର ଉପରେ ଛାତ ପଡ଼ୁନାହିଁ କି ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ଫଳରେ ଗ୍ରାମବାସୀଙ୍କୁ ପଞ୍ଚାୟତ ମୁଖ୍ୟାଳୟକୁ ଯିବାରେ ଅସୁବିଧା ହେଉଛି।
ଖରାଦିନେ ଗ୍ରାମବାସୀ ନାଳରେ ପଶି ନନ୍ଦରା ଛକରୁ ଗାଁକୁ ଚାଲିଚାଲି ଯାଇଥାନ୍ତି। ବର୍ଷାଦିନେ ନାଳରେ ପାଣି ଆସିଲେ ଗ୍ରାମବାସୀ ନନ୍ଦରା ଛକରୁ ଭାୟା ନୂଆବିଲ ଦେଇ ଅଳଙ୍ଗ ୫ କିଲୋମିଟର ରାସ୍ତା ଅତିକ୍ରମ କରିଥାନ୍ତି। ପୋଲ ନିର୍ମାଣ କାର୍ଯ୍ୟ ସରୁ ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ନୂଆବିଲ ହୋଇ ଯାଇଥାନ୍ତି। ଗ୍ରାମର ଉଚ୍ଚ ପ୍ରାଥମିକ କିମ୍ବା ହାଇସ୍କୁଲ ପଡ଼ୁଥିବା ଛାତ୍ରଛାତ୍ରୀ ନାଳ ପାର ହୋଇ ନନ୍ଦରା ଗ୍ରାମକୁ ଆସିଥାନ୍ତି। ଏହି ପୋଲ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି। ମାତ୍ର କାମ ଶେଷ କରାଯାଉ ନାହିଁ। ଏହି ଅର୍ଦ୍ଧନିର୍ମିତ ପୋଲକୁ ସମ୍ପୂର୍ଣ୍ଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମର ବୃନ୍ଦାବନ ଜୁଆଙ୍ଗ, ହୃଷୀକେଶ ଜୁଆଙ୍ଗ, ଜନାର୍ଦ୍ଦନ ଜୁଆଙ୍ଗ, ଭାବଗ୍ରାହୀ ଜୁଆଙ୍ଗ, ଚିନ୍ତାମଣି ଜୁଆଙ୍ଗ, ଦୁର୍ଯ୍ୟୋଧନ ଜୁଆଙ୍ଗ, ବେଣୁଧର ଜୁଆଙ୍ଗ, ସୁଦର୍ଶନ ଜୁଆଙ୍ଗ, ପ୍ରଭାକର ଜୁଆଙ୍ଗ ପ୍ରମୁଖ ଦାବି କରିଛନ୍ତି।