ବର୍ଷକରେ ୩୩ ଭିଜିଲାନ୍ସ ମାମଲାରେ ବନ୍ଧା ହୋଇଛନ୍ତି ୨୫ ସରକାରୀ କର୍ମଚ‌ାରୀ

ବ୍ରହ୍ମପୁର : ବର୍ଷ ବର୍ଷ ଧରି ସରକାରୀସ୍ତରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଚାଲିଛି। ସଚେତନତା ସତ୍ତ୍ବେ ସରକାରୀ ବାବୁଙ୍କ ଦୁର୍ନୀତି ହ୍ରାସ ପାଉନାହିଁ। ବ୍ରହ୍ମପୁର ଭିଜିଲାନ୍ସ୍‌ ଡିଭିଜନ୍‌ରେ ୨୦୨୦ରେ ୩୩ଟି ମାମଲା ରୁଜୁ ହୋଇଛି। ପ୍ରାୟ ୨୫ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। କିନ୍ତୁ କରୋନା ପ୍ରକୋପ ଲାଗି ୭ମାସ ଧରି କାର୍ଯ୍ୟ ଠପ୍‌ ହୋଇଯିବା କାରଣରୁ ଚଳିତ ବର୍ଷ ଭିଜିଲାନ୍ସ୍‌ ମାମଲା ହ୍ରାସ ପାଇଥିବା ଭିଜିଲାନ୍ସ କହିଛି। କିନ୍ତୁ ଗତ ୩ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଗତ ୩ବର୍ଷ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନ୍‌ରେ ମାମଲା କମିବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଭିଜିଲାନ୍ସ୍‌ ଡିଭିଜନ ଅଧୀନରେ ଗଞ୍ଜାମ, ଗଜପତି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ରହିଛି। ଏହି ୪ଟି ଜିଲ୍ଲାରେ ବର୍ଷକରେ ଭିଜିଲାନ୍ସରେ ୩୩ଟି ମାମଲା ରୁଜୁ ହୋଇଛି। ଏଥିରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋ‌ଗରେ ୧୩ଟି ମାମଲା, ଲାଞ୍ଚ ନେଇ ଧରା ପଡ଼ିଥିବା ୧୧ଟି ଓ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୯ଟି ମାମଲା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରଥମ ଶ୍ରେଣୀ ପାହ୍ୟାର ଜଣେ, ଦ୍ବିତୀୟ ଶ୍ରେଣୀ ପାହ୍ୟାର ୨ଜଣ, ତୃତୀୟ‌ ଶ୍ରେଣୀ ପାହ୍ୟାର ୯ଜଣ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ଜଣେ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ସେହିପରି ଲାଞ୍ଚ ନେଇ ଜଣେ ଠିକା କର୍ମଚାରୀ, ୯ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ଜଣେ ଦ୍ବିତୀୟ ଶ୍ରେଣୀ କର୍ମଚାରୀ ଗିରଫ ହୋଇଛନ୍ତି।
ସେହିପରି ଜଣେ ପ୍ରଥମ ଶ୍ରେଣୀ ଓ ୮ଜଣ ତୃତୀୟ ଶ୍ରେଣୀ ପାହ୍ୟା ସରକାରୀ କର୍ମଚାରୀଙ୍କ ବିରୋଧରେ ସରକାରୀ ଅର୍ଥ ତୋଷରପାତ ମାମଲା ରୁଜୁ ହୋଇଛି। ୨୦୧୮ରେ ବ୍ରହ୍ମପୁର ଭିଜିଲାନ୍ସ୍‌ ଡିଭିଜନରେ ସମୁଦାୟ ୬୦ଟି ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରେ ଲାଞ୍ଚ ନେଇ ୩୫ଟି, ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ଏବଂ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୧୬ଟି ମାମଲା ରହିଛି। ସେହିପରି ୨୦୧୯ରେ ୪୨ଟି ମାମଲା ରୁଜୁ ହୋଇଥିଲା। ଲାଞ୍ଚ ନେବା ଅଭିଯୋଗରେ ୨୩ଟି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଏବଂ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୯ଟି ମାମଲା ହୋଇଛି।
ସମ୍ବନ୍ଧିତ ଖବର