ଲଢ଼େଇ ପୂର୍ବରୁ ଆରପାରିରେ ୨୩ ପ୍ରାର୍ଥୀ

୧୩ ୱାର୍ଡମେମ୍ବର, ୬ ସରପଞ୍ଚ, ୩ ପଞ୍ଚାୟତ ସମିତି, ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ମୃତ୍ୟୁ

ଭୁବନେଶ୍ବର : ନିର୍ବାଚନ ଜିତିଲେ ଗାଁକୁ ଭଲ ରାସ୍ତା କରିବେ, ପୋଖରୀ ଖୋଳିବେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇବେ, ଭତ୍ତା ପାଇପାରୁନଥିବା ହିତାଧିକାରୀଙ୍କୁ ଭତ୍ତା ଦେବା ବ୍ୟବସ୍ଥା କରିବେ। ଏହିଭଳି ସ୍ବପ୍ନ ଦେଖି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଜିତିବା ସମ୍ଭାବନା ବି ଥିଲା। ତେଣୁ ପ୍ରଚାରରେ ଉଣା ନଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ନିର୍ବାଚନ ଲଢ଼େଇ ଆରମ୍ଭ ହେବା ବେଳକୁ ଆରପାରିକୁ ଚାଲିଗଲେ। ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ୨୩ଜଣ ପ୍ରାର୍ଥୀଙ୍କ ଜୀବନ ଚାଲିଯାଇଛି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ ୱାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ କରି ଯୋଗ୍ୟ ବିବେଚିତ ହୋଇଥିବା ୧୩ଜଣ ପ୍ରାର୍ଥୀ, ୬ଜଣ ସରପଞ୍ଚ ପ୍ରାର୍ଥୀ, ୩ଜଣ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ, ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କର ଅସମୟରେ ମୃତ୍ୟୁ ହୋଇଛି। ତେଣୁ ଏଠାରେ ଏବେ ଏହି ପଦବି ପାଇଁ ନିର୍ବାଚନ ହେବନି। ୫ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବା ପରେ ଏଠାରେ ନିର୍ବାଚନ ନେଇ ପୁଣି ପ୍ରକ୍ରିୟା ଆରମ୍ଭ ହେବ।

ନିର୍ବାଚନ ପୂର୍ବରୁ ଅନୁଗୁଳରେ ଜଣେ ୱାର୍ଡମେମ୍ବର ଓ ଜଣେ ପଞ୍ଚାୟତ ସମିତି ସଭ୍ୟ, ବାଲେଶ୍ବରରେ ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ବଲାଙ୍ଗୀରରେ ଦୁଇ ଜଣ ୱାର୍ଡମେମ୍ବର, ବରଗଡ଼ରେ ଜଣେ ୱାର୍ଡମେମ୍ବର ଓ ୨ଜଣ ସରପଞ୍ଚ, କଟକରେ ଜଣେ ସରପଞ୍ଚ, ଗଞ୍ଜାମରେ ଜଣେ ୱାର୍ଡମେମ୍ବର, ଜଗତସିଂହପୁରରେ ୨ଜଣ ୱାର୍ଡମେମ୍ବର, ଯାଜପୁରରେ ଜଣେ ସରପଞ୍ଚ, କେନ୍ଦ୍ରାପଡ଼ାରେ ଜଣେ ୱାର୍ଡମେମ୍ବର, କେନ୍ଦୁଝରରେ ଜଣେ ୱାର୍ଡମେମ୍ବର ଓ ଜଣେ ଜିଲ୍ଲାପରିଷଦ ସଭ୍ୟ, ମୟୂରଭଞ୍ଜରେ ୨ଜଣ ୱାର୍ଡମେମ୍ବର, ନବରଙ୍ଗପୁରରେ ଜଣେ ସରପଞ୍ଚ, ନୟାଗଡ଼ରେ ଜଣେ ୱାର୍ଡମେମ୍ବର, ନୂଆପଡ଼ାରେ ଜଣେ ୱାର୍ଡମେମ୍ବର ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ଅସୁସ୍ଥତା ଏବଂ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି। ତେଣୁ ଏଠାରେ ଏହି ପଦବି ପାଇଁ ନିର୍ବାଚନ ହୋଇନି।

ସମ୍ବନ୍ଧିତ ଖବର