ଗୋଟିଏ ସମୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ, ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛନ୍ତି

ଭୁବନେଶ୍ବର : ଚଳିତ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଲଗାତାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଏହି ମାସରେ ପୂର୍ବରୁ ଦୁଇଟି ଲଘୁଚାପ ସୃଷ୍ଟି ହୋଇସାରିଥିବାବେଳେ ଚଳିତ ସପ୍ତାହରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୋଟିଏ ସମୟରେ ହିଁ ଏହି ଦୁଇଟି ଲଘୁଚାପ ସୃଷ୍ଟି ହେବ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ସଂଧ୍ୟାରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ସୂଚନା ଦେଇସାରିଛି । ଏହି ଲଘୁଚାପଟି ଉତ୍ତର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଦ୍ବିତୀୟ ଲଘୁଚାପଟି ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ ତାରିଖ ବେଳକୁ ସୃଷ୍ଟି ହେବ ଓ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ । ଏହି ପାଣିପାଗ ବ୍ୟବସ୍ଥାଟି ଏବେ ଭିଏତନାମ ଉପକୂଳରେ ଏକ ଡିପ-ଡିପ୍ରେସନ ଆକାରରେ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପାସଗରରେ ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇସାରିଥିବ ।

ଏହି ଦୁଇଟି ଲଘୁଚାପ ପ୍ରଭାବରେ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର