୧୯୦୨ରେ ବି ହୋଇଥିଲା ଯୋଡ଼ାଶିଶୁଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର : ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ଚିକିତ୍ସା ଖବର ଏବେ ସବୁ ଖବରକାଗଜର ମୁଖ୍ୟ ଶିରୋନାମା। ୪୦ ଜଣ ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ଏବଂ ଚିକିତ୍ସା ବିଜ୍ଞାନର କରିସ୍ମା ଦେଖିବାକୁ କୋଟିକୋଟି ଜନତା ଚାହିଁ ରହିଛନ୍ତି। କେଉଁଠି ଯୋଡ଼ାମୁଣ୍ଡର ସଫଳ ଚିକିତ୍ସା ପାଇଁ ସମୂହ ପ୍ରାର୍ଥନା ଆୟୋଜନ ହୋଇଛି ତ ପୁଣି କେଉଁଠି ଠାକୁରଙ୍କ ନିକଟରେ ଦୀପଦାନ କରାଯାଉଛି। ମାତ୍ର ଜଗାବଳିଆ ଓଡ଼ିଶାର ପ୍ରଥମ ଯୋଡ଼ା ଯାଉଁଳା ପିଲା ନୁହଁନ୍ତି। ବରଂ ଢେଙ୍କାନାଳର ରାଧିକା ଓ ଦୂଦିକା ହେଉଛନ୍ତି ପ୍ରଥମ ଯୋଡ଼ା ପିଲା। ଫରକ ଏତିକି ଯେ ଜଗା କାଳିଆଙ୍କ ମୁଣ୍ଡ ଯୋଡ଼ି ହୋଇଛି କିନ୍ତୁ ରାଧିକା ଓ ଦୂଦିକାଙ୍କ ଛାତି ଯୋଡ଼ି ହୋଇ ରହିଥିଲା। ୧୯୦୨ରେ ଫ୍ରାନ୍ସରେ ଚିକିତ୍ସା କରାଯାଇ ଦୁହିଁଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ପରେ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହାର ତଥ୍ୟଗତ ପ୍ରମାଣ ହାସଲ କରିଛନ୍ତି ଗବେଷକ ଅନିଲ୍‌ ଧୀର୍‌।

ମେ ୨୭ ତାରିଖ ୧୮୯୩ରେ ପତ୍ରିକା ‘ଦି ଲିଡ୍‌ସ ଟାଇମ୍‌’ର ସୂଚନା ମୁତାବକ ୧୮୮୮ରେ ଢେଙ୍କାନାଳରେ କ୍ଷେତ୍ରା ନାୟକଙ୍କ ଘରେ ରାଧିକା ଓ ଦୂଦିକା ଜନ୍ମ ଗ୍ରହଣ କରିଥିଲେ। ତେବେ କ୍ଷେତ୍ରା ନାୟକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଥିବାରୁ ଦୁଇ ଝିଅଙ୍କର ଏହି ଅଜବ ଅବସ୍ଥା ତାଙ୍କୁ ଚିନ୍ତାରେ ପକେଇଥିଲା। ଖାଲି ସେତିକି ନୁହେଁ ଗ୍ରାମବାସୀ ମଧ୍ୟ ଏହି ଯାଉଁଳି କନ୍ୟାଙ୍କୁ ଦେବତାଙ୍କ ଅଭିଶାପ ଭାବେ ବିବେଚନା କଲେ। ଏମିତିକି ତାଙ୍କୁ ଗାଁରୁ ବାସନ୍ଦ ମଧ୍ୟ କରି ଦିଆଯିବା ସହ ଦୁହିଁଙ୍କୁ ଅଲଗା କରିବା ପାଇଁ ଚାପ ପକାଗଲା। ଏହି ସମୟରେ କିଛି ସ୍ଥାନୀୟ ଅଧିକାରୀ ଏଥିରେ ହସ୍ତକ୍ଷେପ କରିଥିଲେ। ଶେଷରେ ନିକଟସ୍ଥ ମହିମା ଆଶ୍ରମର ସନ୍ଥ ଦୁହିଁଙ୍କୁ ନେଇ ନିଜ ହେପାଜତରେ ରଖିଥିଲେ। ସେହି ସମୟରେ ଦୁହେଁ ରାଧିକା ଓ ଦୂଦିକା ନାମରେ ପରିଚିତ ହୋଇଥିଲେ।

ଏହି ଘଟଣା ଆଉ ଅଛପା ରହିଲା ନାହିଁ। ୧୮୯୨ରେ ଇଂରାଜୀ ଛାପା ଖବରରେ ପ୍ରକାଶ ପାଇବା ପରେ ଲଣ୍ଡନ୍‌ର ସମ୍ୟାନ୍‌ କ୍ୟାପ୍‌ଟେନ୍‌ କୋଲ୍‌ମନ ତାଙ୍କର ଏଜେଣ୍ଟ୍‌ଙ୍କୁ ଢେଙ୍କାନାଳ ପଠାଇଥିଲେ। ଯାଁଳା କନ୍ୟାଙ୍କର ଚିକିତ୍ସାର ପ୍ରତିଶ୍ରୁତି ଦେଇ ଏଜେଣ୍ଟ୍‌ମାନେ ଦୁିହଁଙ୍କୁ ସାଥିରେ ନେଇ ଯାଇଥିଲେ। ସାଥିରେ ତାଙ୍କର ସମ୍ପର୍କୀୟ ମାଉସୀ ମଧ୍ୟ ଯାଇଥିଲେ ବୋଲି ମଧ୍ୟ ଅନୁମାନ କରାଯାଏ। ଲଣ୍ଡନରେ ସପ୍ତାହେ ରହଣି ପରେ ୧୮୯୩ରେ ଚିକାଗୋ ମେଳାରେ ଅଂଶଗ୍ରହଣ ପାଇଁ ଦୁହିଁଙ୍କୁ ନିଆ ଯାଇଥିଲା। ଏହି ସମୟରେ ଏକ ବ୍ରିଟିସ୍‌ ମେଡିକାଲ୍‌ ଜର୍ଣ୍ଣାଲ୍‌ ୧୮୯୩ ଜୁନ୍‌ରେ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଚିକାଗୋ ମେଳାରେ ଏହା ଲୋକଙ୍କର ଦୃଷ୍ଟି ଆକର୍ଷଣ କଲା। ସେହି ସମୟରେ ‘ବର୍‌ନମ୍‌ ଆଣ୍ଡ୍‌ ବେଲି ସର୍କସ୍‌’ର ପିଟି ବର୍‌ନମ୍‌ ତାଙ୍କୁ ନିଜ ସର୍କସରେ ନେବା ପାଇଁ ଇଚ୍ଛା ପ୍ରକାଶ କଲେ। ତେଣୁ ଏହି ଯାଁଳା କନ୍ୟାଙ୍କୁ ପୋଷ୍ଟରରେ ପ୍ରଚାର କରି ସେହି ସର୍କସ୍‌ ଦଳ ଚର୍ଚିତ ହେଲା। ‘ଓଡ଼ିଶା ଟ୍ଵିନ୍‌ସ’ ଭାବେ ସେମାନେ ସାରା ବିଶ୍ୱରେ ଦୃଷ୍ଟି ଆକର୍ଷଣ କଲେ।

ସେହି ସମୟରେ ଅନେକ ପତ୍ରିକା ଓ ସମ୍ବାଦପତ୍ରରେ ରାଧିକା ଓ ଦୂଦିକାଙ୍କ ଖବର ବି ମୁଖ୍ୟ ଶିରୋନାମା ପାଲଟିଥିଲା। ତେଣୁ ଚିକିତ୍ସା ପାଇଁ ଆସିଥିବା ଯାଁଳା କନ୍ୟାଙ୍କୁ ମନୋରଂଜନର ମାଧ୍ୟମ କରି ଦିଆଗଲା। ଅବଶ୍ୟ କ୍ୟାପ୍‌ଟେନ୍‌ କୋଲ୍‌ମନ୍‌ ପାଳିତ କନ୍ୟା ଭାବେ ତାଙ୍କର ଭରଣପୋଷଣ ଦାୟିତ୍ୱ ନେଇଥିଲେ। ରାଧିକା ଓ ଦୂଦିକା ଇଂରାଜୀ ମଧ୍ୟ ଧୀରେଧୀରେ ଶିଖି ପୂରା ୟୁରୋପ ଓ ଆମେରିକା ଭ୍ରମଣ କରିବାର ସୁଯୋଗ ପାଇଲେ। ତେବେ ୧୯୦୨ରେ ଯେତେବେଳେ ସେମାନେ ଯକ୍ଷ୍ମାରେ ପୀଡ଼ିତ ହେଲେ ଫ୍ରାନ୍ସର ପ୍ରସିଦ୍ଧ ସର୍ଜନ୍‌ ଏବଂ ବିଜ୍ଞାନ ଫିଲ୍ମ ନିର୍ମାତା ଡ.ୟୁଗିନ୍‌ ଲୁଇସ୍‌ ଦୋଏନ୍‌ ରାଧିକାଙ୍କ ଜୀବନ ବଞ୍ଚାଇ ଦେବାର ଆଶା ଦେଇ ୧୯୦୨ ଫେବ୍ରୁଆରି୯ରେ ସର୍ଜରି ଆରମ୍ଭ କରିଥିଲେ। ଏହି ସର୍ଜରିକୁ ସେ ଏକ ଚଳଚ୍ଚିତ୍ରରେ ରୂପାନ୍ତରଣ କରି ତାହାର ନାଁ ରଖିଥିଲେ ‘ଲା ସେପାରେସନ୍‌ ଡି ଦୂଦିକା-ରାଦିକା’। ଯାହାକି ଚିକିତ୍ସା ବିଜ୍ଞାନର ପ୍ରଥମ ସର୍ଜରି ଭିତ୍ତିକ ପ୍ରାମାଣିକ ଚିତ୍ର ଥିଲା ବୋଲି ବିବେଚନା କରାଯାଏ।

୧୯୯୫ରେ ବିବିସି ପ୍ରାମାଣିକ ସିରିଜ୍‌ ‘ଦି ଲାଷ୍ଟ୍‍ ମେସିନ୍‌’ରେ ବି ଏହାର ପ୍ରସାରଣ କରାଯାଇଥିଲା। ତେବେ ଅପରେସନ୍‌ର ୭ ଘଣ୍ଟା ପରେ ଦୂଦିକା ମୃତ୍ୟୁ ବରଣ କରିଥିଲା। ରାଧିକା ମଧ୍ୟ କେଇ ମାସ ପରେ ନିଜର ଜୀବନ ହରାଇଥିଲା। ସେ ସମୟରେ ଅନେକ ଚିକିତ୍ସା ବିଜ୍ଞାନୀ ଏହାକୁ ନେଇ ବିବାଦ ଉଠାଇଥିଲେ। ଦୂଦିକାଙ୍କ ପରେ ରାଧିକାଙ୍କୁ ପ୍ୟାରିସ୍‌ରେ କବର ଦିଆଯାଇଥିଲା। ଥେରି ଲେଫେବ୍‌ଭ୍ରେ ୨୦୦୪ରେ ଲେଖିଥିବା ପୁସ୍ତକ ‘ଫ୍ଲେସ୍‌ ଆଣ୍ଡ୍‌ ସେଲୁଲଏଡ୍‌’ରେ ମଧ୍ୟ ଏହି ଚଳଚ୍ଚିତ୍ର ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବୋଲି କହିଛନ୍ତି ଗବେଷକ ଅନିଲ୍‌ ଧୀର୍‌। ତାଙ୍କ କହିବା ମୁତାବକ ରାଧିକା ଓ ଦୂଦିକା ବିଶ୍ୱ ଭ୍ରମଣ କରିବାର ରେକର୍ଡ ଆମ ପାଖରେ ନାହିଁ। କିନ୍ତୁ ସମ୍ଭବତଃ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂର୍ବରୁ ଯାଁଳା କନ୍ୟା ଦୁହେଁ ବିଶ୍ୱ ଭ୍ରମଣରେ ଭାଗୀଦାରି ହୋଇ ସାରିଥିଲେ।

ସମ୍ବନ୍ଧିତ ଖବର