ମେଡିକାଲ ବେଡ଼କୁ ନେଇ ଟଣାଓଟରା: ସୋନୁ କହିଲେ ହଁ, ଗଞ୍ଜାମ ଜିଲ୍ଲାପାଳ କହିଲେ ନା

ବ୍ରହ୍ମପୁର: ସମାଜସେବା ପାଇଁ ଚର୍ଚ୍ଚିତ ବଲିଉଡ ଅଭିନେତା ସୋନୁ ସୁଦ ଏବେ କରୋନାର ଦ୍ଵିତୀୟ ଲହରୀରେ ରୋଗୀଙ୍କ ପାଇଁ ବେଡ଼ ଯୋଗାଡରେ ଲାଗିପଡିଛନ୍ତି | ତେବେ ଏହାରି ଭିତରେ ସୋନୁ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟର ଯୁଦ୍ଧକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ମେ ୧୫ ତାରିଖରେ ଜ୍ୟୋଷ୍ଣାରାଣୀ ଦିଗାଲଙ୍କ ସମ୍ପର୍କୀୟ ସୋନୁଙ୍କୁ ଟ୍ୱିଟ ଓ ମେସେଜ କରି ବ୍ରହ୍ମପୁରରେ ଥିବା ସିଟି ହସ୍ପିଟାଲରେ ଏକ ବେଡ଼ ଯୋଗାଇବାକୁ ଅନୁରୋଧ କରିଥିଲେ | ଆଉ ସୋନୁ ଏହାର ଜବାବରେ ଲେଖିଥିଲେ ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ଼ ବ୍ୟବସ୍ଥା ହୋଇସାରିଛି | ତେବେ ମେ ୧୭ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟରରୁ ସୋନୁଙ୍କ ଟ୍ୱିଟର ଏକ ସ୍କ୍ରିନସଟ ସେୟାର କରାଯାଇ ଲେଖାଯାଇଛି ଯେ ସୋନୁଙ୍କ ଠାରୁ ବେଡ଼ ନିମନ୍ତେ କୌଣସି ଅନୁରୋଧ ମିଳିନାହିଁ | ରୋଗୀ ଜଣକ ଘରେ ଆଇସୋଲେସନରେ ଅଛନ୍ତି ଓ ବେଡ଼ର କୌଣସି ସମସ୍ୟା ନାହିଁ |


ଏହାକୁ ନେଇ ସୋନୁ ପୁଣି ଟ୍ୱିଟ କରିଥିଲେ ଯେ ‘ସାର୍, ଆମେ କଦାପି ଦାବି କରିନାହୁଁ ଯେ ଆମେ ଆପଣଙ୍କ ନିକଟରେ ବେଡ଼ ପାଇଁ ଅନୁରୋଧ କରିଛୁ | ସେ ଆମକୁ ଅନୁରୋଧ କରିବାରୁ ଆମେ ତାଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିଥିଲୁ | ଆପଣଙ୍କ ରେଫରେନ୍ସ ପାଇଁ ଚାଟ୍ ସଂଲଗ୍ନ ହୋଇଛି | ଆପଣଙ୍କ ଅଫିସ୍ ଏକ ମହତ୍ କାର୍ଯ୍ୟ କରୁଛି ଏବଂ ଆପଣ ଦୁଇଥର ଯାଞ୍ଚ କରିପାରିବେ ଯେ ଆମେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲୁ | ଜୟ ହିନ୍ଦ’ |


ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟରରୁ ଲେଖାଯାଇଥିଲା ଯେ, ‘ତୁମର ସିଷ୍ଟମକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ | ରୋଗୀଙ୍କୁ ପାଇଁ ଶଯ୍ୟା ଉପଲବ୍ଧ କରିବାକୁ ଦିନରାତି କାମ କରୁଥିବା ଆମର ନିଜସ୍ୱ ଟିମ୍ ଗଞ୍ଜାମରେ ଅଛି | ତଥାପି ଶଯ୍ୟା ଉପଲବ୍ଧତା ଉପରେ କୌଣସି ସମସ୍ୟା ଅଛି କି ନାହିଁ ତାହା ଅନୁସନ୍ଧାନ କରିବା ଆମର କର୍ତ୍ତବ୍ୟ | ତୁମେ ଏବଂ ତୁମର ସଂଗଠନ ବହୁତ ଭଲ କାମ କରୁଛ’।

ସମ୍ବନ୍ଧିତ ଖବର