କେନ୍ଦୁଝର,(ସୁବ୍ରତ ସ୍ବାଇଁ): ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ ମିଡିଆକୁ ଯୁବଗୋଷ୍ଠୀ ମନୋରଂଜନର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ଜଣେ ସ୍ନାତକୋତ୍ତର ଛାତ୍ରୀ ଏହାକୁ ଆୟୁଧ କରି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିପାରୁଛନ୍ତି। କେବଳ କେନ୍ଦୁଝର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୪ ହଜାର ସମସ୍ୟା ସମ୍ପର୍କରେ ସେ ପ୍ରଶାସନକୁ ଟୁଇଟ୍‌ କରି ସମାଧାନ କରିବାରେ ସକ୍ଷମ ହୋଇଛନ୍ତି। ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ବେଲବାହାଳି ଗ୍ର‌ାମର ଅଭିମନ୍ୟୁ ଜେନା ଓ ସବିତା ଜେନାଙ୍କ ଏକମାତ୍ର ଝିଅ ଶ୍ରୀଲେଖା ଜେନା। ତାଙ୍କ ଟୁଇଟ୍ ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରୁଥିବାରୁ ସେ ଏବେ ଟୁଇଟର୍‌ ଗାର୍ଲ ଭାବେ ବେଶ ପରିଚିତ।

Advertisment

୨୦୨୦ରେ ନିଜ ଗାଁ ବେଲବାହାଳିର ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଖରାପ ହୋଇଥିଲା। ଯାହାକୁ ମରାମତି କରାଯାଉ ନ ଥିଲା। ଏସମ୍ପର୍କରେ ଏକ ଫଟୋ ସହ ଶ୍ରୀଲେଖା ଟୁଇଟ୍‌ କରି ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଅବଗତ କରିଥିଲେ।

ଏହାପରେ ତତ୍କାଳ ସମସ୍ୟାର ସମାଧାନ ‌ହୋଇଥିଲା। ହାଟଡିହି ବ୍ଲକ୍‌ ବଞ୍ଚୋରେ ଏକ ଷଣ୍ଢ ପେଟରେ ଆଘାତ ଲାଗିବା ଯୋଗୁଁ ପାକସ୍ଥଳୀ କଣା ‌ହୋଇ ଖାଦ୍ୟ ବାହାରକୁ ବାହାରି ଆସୁଥିଲା। ଏନେଇ ସ୍ଥାନୀୟ ଲୋକେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା। ଏନେଇ ଶ୍ରୀଲେଖା ଟୁଇଟ୍‌ କରି ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଷଣ୍ଢର ଚିକିତ୍ସା ସମ୍ଭବ ହୋଇଥିଲା।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି‌ରେ ପାଣି ପାଇପ୍‌ ବିଛାଇବା ପାଇଁ ଥିବା ଏକ ଜଙ୍କସନ ବାକ୍ସକୁ ଖୋଲା ଛାଡ଼ି ଦିଆଯାଇଥିଲା। ଏହା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଦର୍ଶାଇ ଶ୍ରୀଲେଖା ଗଜପତି ଜିଲ୍ଲାପାଳ ଏବଂ ମୋ ସରକ‌ାରଙ୍କୁ ଟୁଇଟ୍ କରି ଜଣାଇଥିଲେ। ତାଙ୍କ ଟୁଇଟ୍‌ ପରେ ସେଠାକାର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲା। ଗଜପତି ଜିଲ୍ଲାପାଳ ରିଟୁଇଟ୍‌ କରି ଶ୍ରୀଲେଖାଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଶ୍ରୀଲେଖାଙ୍କ ଟୁଇଟ୍ ଜରିଆରେ ହଜାର ହଜାର ସମସ୍ୟା ଏଭଳି ଭାବେ ସମାଧାନ ହୋଇପାରୁଛି। ଗରିବ ଲୋକଙ୍କୁ ଭତ୍ତା, ରୋଗୀଙ୍କୁ ଚିକିତ୍ସା ସୁବିଧା, ରକ୍ତ ଯୋଗାଡ଼, ପଶୁପକ୍ଷୀଙ୍କ ଚିକିତ୍ସା, ରାସ୍ତା ଏବଂ ପାଣି ସମସ୍ୟାର ସମାଧାନ ତା‌ଙ୍କ ଟୁଇଟ୍‌ ମାଧ୍ୟମରେ ହୋଇଯାଉଛି। ଲୋ‌କେ ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିବା ପାଇଁ ଶ୍ରୀଲେଖାଙ୍କ ପାଖରେ ପହଞ୍ଚୁଛନ୍ତି। ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେ ତତ୍କାଳ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଟୁଇଟ୍‌ ମାଧ୍ୟମରେ ଜଣାଇ ଦେଉଛନ୍ତି। ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଶ୍ରୀଲେଖା ପ୍ରଶାସନ ସହ ଯୋଗାଯୋଗରେ ରହିଥାନ୍ତି।

ଏସମ୍ପର୍କରେ ଶ୍ରୀଲେଖା କହିଛନ୍ତି,‌ ଅନେକ ସମୟରେ ସୋସିଆଲ ମିଡିଆରେ ଯୁବପିଢ଼ି ମନୋରଂଜନ କରି ସମୟ ନଷ୍ଟ କରୁଛନ୍ତି। କିନ୍ତୁ ସେ ପାଠପଢ଼ା ବ୍ୟତୀତ ଅବସର ସମୟରେ ଲୋକଙ୍କ ସମସ୍ୟାକୁ ସରକାର ଏବଂ ପ୍ରଶାସନକୁ ଟୁଇଟ୍ କରି ଜଣାଇଥାନ୍ତି। ଯିଏ ଯେଉଁଠି ତାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କଲା ସେ ତାହାକୁ ତୁରନ୍ତ ପ୍ରଶାସନର ଦୃଷ୍ଟିକୁ ଆଣିଥାନ୍ତି ବୋଲି ଶ୍ରୀଲେଖା କହିଛନ୍ତି।