ନୂଆପଡ଼ା/ଖମାର: ନୂଆପଡ଼ା ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲ‌ାରେ ଆଜି ଦୁଇଟି ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ୧୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ନୂଆପଡ଼ା ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରେ ୫ ଜଣ ପ୍ରାଣ ହରାଇଛନ୍ତି। ନୂଆପଡ଼ା ଜିଲ୍ଳା ଖରିଆର ରୋଡ୍‌ ଜୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆ ମହାମାୟ କଲେଜ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର୍‌ (ସିଜି୦୬ଜିଏଫ-୨୭୫୩) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ଜୀବନ ଯାଇଛି। ଆସନ୍ତାକାଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମର ବସନ୍ତ ସାହୁଙ୍କ ଝିଅ ବାହାଘର ଉତ୍ସବରେ ଯୋଗଦେବାକୁ ଏମାନେ ଛତିଶଗଡ଼ ରୁସୁଡ଼ାରୁ ଆସୁଥିଲେ। ତେବେ ଆଜି ମହାଶିବରାତ୍ରି ଥିବାରୁ ସେମାନେ ଛିନ୍ଦେଇକେଲା ଯିବା ପୂର୍ବରୁ ପ୍ରଥମେ ନୃସିଂହନାଥ ପୀଠରେ ଦର୍ଶନ ସାରି ଅପରାହ୍ନରେ ପୋତ୍‌ରା ଡ୍ୟାମସ୍ଥିତ ଶୈବପୀଠକୁ ଦର୍ଶନ କରିବାକୁ ଯାଉଥିଲେ। ସେଠୁ ଫେରି ସେମାନେ ସଂଧ୍ୟା ସୁଦ୍ଧା ଛିନ୍ଦେଇକେଲାକୁ ଯାଇ ରାତିରେ ‌ସେଠାରେ ରହି ଆସନ୍ତାକାଲିର ବାହାଘର ଉତ୍ସବରେ ଯୋଗଦେଇଥାନ୍ତେ। ମାତ୍ର ପୋତ୍‌ରା ଯିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କାରଟି ଗଛରେ ପିଟି ହେବାପରେ ଗାଡ଼ିରେ ଥିବା ୬ ଜଣ ଚାପିହୋଇ ରହି ଯାଇଥିଲେ। ଖରିଆର ରୋଡ୍‌ ଜୋଙ୍କ ଥାନା ଅଧିକାରୀ କୈଳାସ ନାଏକ ଓ ନୂଆପଡ଼ା ଥାନା ଏସ୍‌ଆଇ ଗୁରୁଦେବ କର୍ମୀ, ନୂଆପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।

Advertisment

ସେହିପରି ଅନୁଗୁଳ ଜିଲ୍ଲା ଖମାର ଥାନା ଇଲାକାରେ ଏକ ଟ୍ରକ୍‌ ପଛରେ ଗୋଟିଏ କାର୍‌ ଧକ୍କା ହେବାରୁ ସେଥିରେ ଥିବା ୫ ଜଣ ଯୁବକଙ୍କର ପ୍ରାଣହାନି ଘଟିଛି। ଏହି ଯୁବକମାନେ ହେଉଛନ୍ତି ଖମାର ଥାନା ଇଞ୍ଜିଡ଼ ଗାଁର। ପୁଲିସ ସୂତ୍ରରୁ ପ୍ରକାଶ, ଇଞ୍ଜିଡ଼ ପଞ୍ଚାୟତର ଭୋଟ ଗଣତି ପରେ ସେହି ଗାଁର କିଛି ଯୁବକଙ୍କର ଜଣେ ସମର୍ଥକ ବିଜୟ ଲାଭ କରିଥିବା ଜଣାପଡ଼ିଥିଲା। ଫଳରେ ଏହି ଯୁବକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ୧୪୯ ନମ୍ବର ଜାତୀୟ ରାଜପଥର ଖମାରଠାରେ ଥିବା ଏକ ଢାବାରେ ଖାଇବା ପାଇଁ ଇଞ୍ଜିଡ଼ ଗାଁର ଯୁବକ ବାହାରିପଡ଼ିଥିଲେ। ସେମାନେ ରାତି ପ୍ରାୟ ୧୧ଟାବେଳେ ଇଞ୍ଜିଡ଼ ଗାଁର ଯାତ୍ରାକର ସାହୁଙ୍କ କାର୍‌ (ଓଡି୦୨ଏଫ୍‌-୫୫୭୭)ରେ ଖମାର ଅଭିମୁଖେ ଯାଉଥିଲେ।

ରାତି ପ୍ରାୟ ୧୨ଟାବେଳେ ସେମାନେ ଖମାରରେ ପହଞ୍ଚିଥିବା ବେଳକୁ ଢାବା ବନ୍ଦ ହୋଇଯାଇଥିଲା। ସେଠାରୁ ସେମାନେ ପାଖାପାଖି ୭ କିଲୋମିଟର ଦୂର କଣ୍ଟିଆପଶିଠାରେ ଥିବା ଅନ୍ୟ ଏକ ଢାବାରେ ଖାଇବା ପାଇଁ ବାହାରିଥିଲେ। କଣ୍ଟିଆପଶି ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥ‌ ପାର୍ଶ୍ବ‌ରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ (ଓଡି୦୯କ୍ୟୁ-୯୨୨୯) ଛିଡ଼ା ହୋଇଥିଲା। କାର୍‌ଟି ଦ୍ରୁତଗତିରେ ଯାଇ ଟ୍ରକ୍‌ ପଛରେ ଧକ୍କା ହୋଇ ଭିତରକୁ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ କାର୍‌ ଚାଳକ ଗୌରଙ୍କ ସମେତ ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆରୋହୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସେ ଦୁହିଁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।