ଦ୍ରୁତଗାମୀ ଟକ୍‌ ସାଧାରଣ ଯାତ୍ରୀଙ୍କ ପାଇଁ ହେଉଛି କାଳ, ୧୨ ଘଣ୍ଟା ଭିତରେ ୨ ଦୁର୍ଘଟଣା ନେଲା ୧୧ ଜୀବନ

ବାଲେଶ୍ବର/ସୋନପୁର: ଦ୍ରୁତଗାମୀ ଟ୍ରକ୍‌ ସାଧାରଣ ଯାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପ୍ରଶସ୍ତ ରାଜପଥରେ ଚାଳକଙ୍କର ବେପାରୁଆ ଟ୍ରକ୍‌ ଚାଳନା ପାଇଁ କିଛି ପରିବାର ଉଜୁଡି ଯାଉଛି। ରାସ୍ତାର ସ୍ଥିତି ଦେଖି ଗାଡ଼ି ଚଳାଇବା ତଥା ସଡ଼କ ସୁରକ୍ଷା ସଂପର୍କିତ ନିୟମକୁ ଅଣଦେଖା କରାଯାଉଥିବାରୁ କିଛି ପରିବାରର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି। ଆଜି ରାଜ‌୍ୟରେ ୨ଟି ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଘଟିଥିବା ଉଭୟ ଦୁର୍ଘଟଣାରେ ଜଣେ ଶିଶୁ ଓ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋନପୁର ଉପକଣ୍ଠ ମହାନଦୀ ବ୍ରିଜ୍‌ ଉ‌ପରେ ଶୁକ୍ରବାର-ଶନିବାର ରାତି ପ୍ରାୟ ୨ଟାରେ ପ୍ରଥମ ଦୁର୍ଘଟଣା ଘଟିଥିବା ବେଳେ ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି ଦ୍ବିତୀୟ ଦୁର୍ଘଟଣା।

ବାଲେଶ୍ବର ଜିଲ୍ଲାର ସୋର ନିକଟସ୍ଥ ବିଦୁ ଛକରେ ଆଜି ଅପରାହ୍ନ ପ୍ରାୟ ୧ଟାରେ ଯାତ୍ରୀବାହୀ ବସ୍‌ ‘ଶାନ୍ତିଲତା’କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୧ ବର୍ଷର ଶିଶୁ ଓ ଜଣେ ମହିଳାଙ୍କ ସମେତ ମୋଟ୍‌ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଉଦଳା ଠାରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହା ବିଦୁ ଛକଠାରେ ପହଞ୍ଚିବା ପରେ କୋଇଲା ବୋଝେଇ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇପାରେ ବୋଲି ବି ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଂଜିତ ଦଳବେହେରା ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି।

ଆଜି ମଧ୍ୟରାତ୍ରୀ (ପାଖାପାଖି ୨ଟା)ରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ଝିଅ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ସୋନପୁର ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପଞ୍ଚମହଲା ଗ୍ରାମର ଆଶିଷ ପଣ୍ଡିଆ, ଝିଅ ସିଦ୍ଧି ପଣ୍ଡିଆ, ପ୍ରମୋଦ ପଣ୍ଡିଆ, ନିମନା ଗ୍ରାମର ତ୍ରୟମ୍ବକ ମେହେର, ଶୁଭମ ପଣ୍ଡିଆ ପ୍ରମୁଖ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ। ମୃତାହତମାନଙ୍କୁ ଗ୍ୟାସ୍ କଟରରେ କଟାଯାଇ ବାହାରକୁ କଢାଯାଇଥିଲା। ଆହତମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏମାନେ ବିନିକା କଉଡିଆମୁଣ୍ଡାରୁ ଏକ ବାହାଘରରେ ବରଯାତ୍ରୀ ଭାବେ ଯୋଗ ଦେଇ ନିଜ ଗାଁ ପଞ୍ଚମହଲା ଓ ନମ୍ନା ଗାଁକୁ ଫେରୁଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର