ବାରିପଦା ବସଷ୍ଟାଣ୍ଡ୍‌ରୁ ଉଦ୍ଧାର ହେଲେ ଅପହୃତ ଯୁବକ, ଫିଲ୍ମ ଷ୍ଟାଇଲ୍‌ରେ ଦୁଇ ଅଭିଯୁକ୍ତ ଗିରଫ

ଅପହରଣ ଓ ଫେରାର୍‌ ହେବାରେ ବ୍ୟବହୃତ ଦୁଇଟି କାର ଜବତ

ବାରିପଦା: ମୟୂରଭଂଜ ଜିଲ୍ଲା ବେତନଟୀ ଉପକଣ୍ଠ ତୁଳସୀଚଉରାରୁ ଅପହରଣ ହୋଇଥିବା ଯୁବକ ବାରିପଦା ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଛନ୍ତି। ପୁଣି ଆଜି ବାରିପଦା ଓ ବେତନଟୀ ପୁଲିସ୍‌ର ମିଳିତ ଚଢ଼ଉରେ ଫିଲ୍ମ ଷ୍ଟାଇଲ୍‌ରେ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ। ପୁରା ଫିଲ୍ମି ଲାଗୁଥିଲେ ମଧ୍ୟ ଘଟଣା ସତ୍ୟ।

ଉଲ୍ଲେଖଯୋଗ୍ୟଯେ ଗତକାଲି ରାତିରେ ତୁଳସୀଚଉରାରେ ଥିବା ବିଷ୍ଣୁଚରଣ ସାହୁଙ୍କ ଢାବାରୁ ନାଟକୀୟ ଢ଼ଙ୍ଗରେ ୭-୮ ଜଣ ଯୁବକ ଆସି ସେଠାରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମୁକ୍ତାପୁରର ବିମ୍ବାଧର ସାହୁଙ୍କ ପୁତ୍ର ତପନ କୁମାର ସାହୁ ଓରଫ ବାପୁନ (୨୨)ଙ୍କୁ ମାଡ଼ ମାରିବା ସହିତ ବଳପୂର୍ବକ ଏକ ଇଣ୍ଡିକାରେ ଅପହରଣ କରି ନେଇ ପଳାଇଥିଲେ । ଏହି ଖବର ଆଜି କେବଳ ‘ସମ୍ବାଦ’ରେ ପ୍ରକାଶ ପାଇଛି । ଅପହର୍ତ୍ତାମାନେ ବାପୁନଙ୍କୁ ଏକ ଅନ୍ଧାରିଆ ପଡ଼ିଆକୁ ନେଇ ପାଇପ ସାହାଯ୍ୟରେ ନିସ୍ତୁକ ମାଡ଼ ମାରିଥିଲେ। ମୁହଁକୁ ମାଡ ମାରିବା ଫଳରେ ତାଙ୍କର ଆଖିପତା ଓ କପାଳରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି । ଅପହରଣକାରୀମାନେ ବାପୁନଙ୍କୁ ବାରିପଦା ବସଷ୍ଟାଣ୍ଡ ନିକଟରେ ଛାଡି ଦେଇ ଦୁର୍ବୁତ୍ତମାନେ ପଳାଇ ଯାଇ ଥିଲେ । ସେଠାରୁ ବେତନଟୀ ଥାନା ଏସଆଇ ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ବାପୁନଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ ।

ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ବାଘଡ଼ା ରୋଡର ରାମଚନ୍ଦ୍ର ପାତ୍ରଙ୍କ ପୁଅ ଅଜୟ କୁମାର ପାତ୍ର ଓରଫ୍‌ ଅଜୁ ଏବଂ ବଡ଼ସାହି ଥାନା ଅନ୍ତର୍ଗତ କୋଚିଳାଖୁଣ୍ଟାର ସୁକାନ୍ତ ବେହେରାଙ୍କ ପୁଅ ରୋହିତ କୁମାର ବେହେରାଙ୍କୁ ପୁଲିସ ଗିରଫ କରିଛି । ତେବେ ସୁମନ ସିଂ ନାମକ ଜଣେ ଅଭିଯୁକ୍ତ ଏହି ଚଢ଼ଉ ବେଳେ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତଙ୍କଠାରୁ ଅପହରଣରେ ବ୍ୟବହୃତ ଓଆର-୦୫ଟି-୭୭୩୫ ନମ୍ବର ବିଶିଷ୍ଟ ଟାଟା ଇଣ୍ଡିକା କାର ଏବଂ ଫେରାର ହେବାରେ ବ୍ୟବହାର କରିଥିବା ଓଆର-୦୧ଜେ-୪୫୦୦ ସେଭରୋଲେଟ୍‌ କାରକୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର