ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଅଟକ

ବାଲେଶ୍ଵର: ବେଆଇନ ବାଲିଘାଟରେ ଚଢ଼ଉ ସମୟରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନଙ୍କ ସମେତ ତାଙ୍କ ଡ୍ରାଇଭରଙ୍କ ଉପରେ ଶୁକ୍ରବାର ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ତତ୍ପରତା ଦେଖାଇଛି। ବାଲେଶ୍ବର ପୁଲିସ୍‌ ଆକ୍ରମଣ ଘଟଣାରେ ସାମିଲ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ଉ ବେଳେ ପ୍ରାୟ ୧୦ରୁ ୧୨ ଜଣ ବାଲି ମାଫିଆ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ।

ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲା ପରେ ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରୁ ପୁଲିସ୍ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଅବକାରୀ ଗାଡ଼ିକୁ ଉଦ୍ଧାର କରିଥିଲା । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସ୍‌ପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖାକରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏହାସହ ଘଟଣାସ୍ଥଳରେ ଏକ ପୁଲିସ୍ ଟିମ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଖିବ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି  ସାଗରିକା ନାଥ କହିଛନ୍ତି।

ସମ୍ବନ୍ଧିତ ଖବର