ବାଘ ଛାଲ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ବାନ୍ଧିଥିଲା ଏସ୍‌ଟିଏଫ୍‌, ୨ ଅଭିଯୁକ୍ତଙ୍କୁ ମିଳିିଲା ୬ ମାସ ଜେଲ ଦଣ୍ଡ

ଖୋର୍ଦ୍ଧା: ଗତବର୍ଷ ଏପ୍ରିିଲ ୨ ତାରିଖ ଦିନ ବାଘ ଛାଲ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତଙ୍କୁ ଏବେ ୬ ମାସ ଜେଲ୍‌ ଦଣ୍ଡ ମିିଳିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ସ୍ୱତନ୍ତ୍ର ଏସ୍‌ଟିଏଫ୍ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା କଲରାପତରିଆ ବାଘ ଛାଲ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳର ସୁଧୀର ବେହେରା ଓ ସୁବାସ ଚନ୍ଦ୍ର ବେହେରାଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂୂଚନାଯୋଗ୍ୟ, ୨୦୨୧ ଏପ୍ରିଲ୍ ୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚରର ସ୍ୱତନ୍ତ୍ର ଏସ୍‌ଟିଏଫ୍‌ ଦ୍ୱାରା ବାଘଛାଲ ସହ ସୁଧୀର ଓ ସୁବାସ ଗରିଫ ହୋଇଥିଲେ । ଏସ୍‌ଡିଜେଏମ୍ ସୌଦାମିନୀ ସିଂହ ଏହି ମାମଲାର ଶୁଣାଣୀ କରି ୧୦ ଜାନୁଆରିରେ ଉଭୟଙ୍କୁ ଧାରା ୪୧୧ ଓ ୩୪ରେ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ନିଜ ରାୟରେ ଏସ୍‌ଡି‌ଜେଏମ୍ ଦର୍ଶାଇଛନ୍ତି ଯେ ଉଭୟଙ୍କ ବୟସ ଓ ଅପରାଧର ଗଭୀରତା ଏବଂ ଉଭୟଙ୍କ ଏହି ଅପରାଧ ପ୍ରଥମ ଥର ହୋଇଥିବାରୁ ସେମାନଙ୍କୁ ୬ମାସ ଜେଲ୍ ଦଣ୍ଡ ଯଥେଷ୍ଟ ଅଟେ । ଏହା ସହ ସିଆରପିସି ଧାରା ୪୨୮ଅନୁସାରେ ସେମାନେ ବିଚାରାଧୀନ କଏଦୀ ଭାବେ ରହିଥିବା ସମୟକୁ ଦିଆଯାଇଥିବା ଜେଲ ଦଣ୍ଡରୁ ହ୍ରାସ କରାଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଓକିଲ ପ୍ରଫୁଲ୍ଲ ଦାସ, ସୁମିତ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ପିକେ ଦାଶ ଲଢ଼ିଥିଲେ ।

ସମ୍ବନ୍ଧିତ ଖବର