ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବରଘାଟ ନିକଟ ଏମ୍‌ସିଏଲ୍‌ ପମ୍ପ୍‌ ହାଉସ ପଛପଟେ ଶୁକ୍ରବାର ରାତି ୨ଟାରେ ପୁଲିସ ଚଢ଼ଉ କରି ଡକାୟତି ଯୋଜନା କରୁଥିବା ଉମେଶ ଯାଦବ (୩୮) ଓ ଘନଶ୍ୟାମ ସାହୁ (୩୫) ନାମକ ଦୁଇ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ ମାଗାଜିନ, ଦେଶୀ ପିସ୍ତଲ, ଗୋଟିଏ ଖୋକା, ଗୋଟିଏ ଭୁଜାଲି, ୩ଟି ମୋବାଇଲ, ୨ଟି ବାଇକ, ୨ଟି ଖାଲି ମଦ ବୋତଲ ଜବତ କରିଛି। ଚଢ଼ଉ ବେଳେ ଅଭିଯୁକ୍ତ ଉମେଶ ପୁଲିସ ଉପରକୁ  ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ତେବେ ସୌଭାଗ୍ୟବଶତଃ ତାହା କାହା ଦେହରେ ବାଜି ନଥିଲା। ଘଟଣାସ୍ଥଳରୁ ବିଶାଳ ବାଗ, ଡିଲା ନାମଦେବ, ଆକାଶ ବାରିକ ଓ ବନ ମିଶ୍ର ନାମକ ଅନ୍ୟ ୪ ଜଣ ଡକାୟତ ଫେରାର ହୋଇ ଯାଇଥିବା ପୁଲିସ କହିଛି। ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ଆଇପିସିର ଦଫା ୩୯୯, ୪୦୨, ୩୦୭ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫ ଏବଂ ୨୭ରେ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଗୁପ୍ତେଶ୍ଵର ଭୋଇ ସୂଚନା ଦେଇଛନ୍ତି।

Advertisment

ଅଭିଯୁକ୍ତମାନେ ଗତକାଲି ରାତିରେ ଗାନ୍ଧୀ ଛକର କୌଣସି ଏକ ପେଟ୍ରୋଲ୍‌ ପମ୍ପ୍‌ରେ ଡକାୟତି ଯୋଜନା କରୁଥିଲେ। ଏ ସଂପର୍କରେ ସୂଚନା ପାଇ ପାଟ୍ରୋଲିଂ କରୁଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼ ସଳଦଳବଳେ ଚଢ଼ଉ କରିଥିଲେ।