ପୂର୍ବଶତ୍ରୁତାରୁ ଘରୁ ଡାକିଆଣି ମାରି ଫୋପାଡ଼ିଦେଲେ, ବିକ୍ରମ ଦାସ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

ବାରିପଦା : ଘରୁ ଡାକି ଆଣିଲେ। କୌଣସି କାରଣରୁ ବଚସା ହେବାରୁ ତଣ୍ଟିଚିପି ମାରି ଫୋପାଡ଼ିଦେଲେ। ଗତକାଲି ଏହି ଘଟଣା ସାମ୍ନାକୁ ଆସିଥିଲା। ବାରିପଦା ପୌରପରିଷଦ ୱାର୍ଡ ନଂ- ୨୦ ଶୁନଗଡ଼ିଆ ଅଞ୍ଚଳର ବିକ୍ରମ ଦାସ(୩୭) ହତ୍ୟା ମାମଲାରେ ବାରିପଦା ଟାଉନ ଥାନା ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।

ସୂଚନାଅନୁସାରେ ଶୁନଗଡ଼ିଆର ବିକ୍ରମ ଦାସ କେ.ସି.ସର୍କଲ ଅଞ୍ଚଳର ତଥା ବର୍ତ୍ତମାନ ଷ୍ଟେସନ ବଜାରରେ ବସବାସ କରୁଥିବା ଜିତେନ୍ଦ୍ର ପଣ୍ଡା ଓରଫ ଜିତୁନନା(୩୪)ଙ୍କ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଜିତେନ୍ଦ୍ରଙ୍କ ନିକଟରୁ ଟଙ୍କା ଧାର ଉଧାର ନେଇ ବିକ୍ରମଙ୍କର ବିବାଦ ଥିଲା। ଗତ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟାରେ ଜିତେନ୍ଦ୍ର ପଣ୍ଡା ୱାର୍ଡ଼ ନଂ-୭ ରଘୁନାଥ ଜୀଉ ମଠ ଛକ ଅଞ୍ଚଳର ଚନ୍ଦନ କୁମାର ଦାସ(୩୫)ଙ୍କୁ ସାଥୀରେ ଧରି ମୃତକଙ୍କ ଘରେ ପହଞ୍ଚି ତାଙ୍କୁ ସାଥୀରେ ଧରି ଆସିଥିଲେ । ଏହାପରେ ଉଧାରି ଟଙ୍କା ପରିଶୋଧ କରିବାକୁ ନେଇ ବଚସା ହୋଇଥିବା ଜଣାପଡ଼ିଛି। ମାତ୍ର ବିକ୍ରମ ଦାସ ଟଙ୍କା ପରିଶୋଧ କରିବା କ୍ଷେତ୍ରରେ ନିଜର ଅସମର୍ଥତା ପ୍ରକାଶ କରିବା ପରେ ଜିତୁ ଓରଫ ଜିତେନ୍ଦ୍ର ଏବଂ ତାଙ୍କ ସହଯୋଗୀ ଚନ୍ଦନ ମିଶି ବିକ୍ରମକୁ ଆକ୍ରମଣ କରିବା ସଙ୍ଗେସଙ୍ଗେ ତାର ବେକ ଚିପି ହତ୍ୟା କରିଥିବା ପୁଲିସ୍ ପକ୍ଷରୁ ପ୍ରକାଶ। ଏହାପରେ ଦୁଇ ଅଭିଯୁକ୍ତ ଶବକୁ ଘର ନିକଟରେ ପକାଇ ପଳାଇ ଆସିଥିଲେ । ବିକ୍ରମଙ୍କ ସ୍ତ୍ରୀ ମିନୁ ବାରିପଦା ଟାଉନ ଥାନାରେ ଜିତେନ୍ଦ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୦୨ ଅନୁସାରେ କେଶ ନମ୍ବର ୬୧୯/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍। ପ୍ରଥମେ ଜିତୁକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ । ଏହାପରେ ପୁଲିସ ଜିତୁର ସହଯୋଗୀ ଚନ୍ଦନକୁ ଆଣି ପ୍ରଶ୍ନ କରିବାରୁ ସେ ନିଜର ଅପରାଧକୁ ସ୍ୱିକାର କରିବା ସହ ପୁଲିସ ସମ୍ମୁଖରେ ସମସ୍ତ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିବା ପୁଲିସ୍ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର