ଯାଜପୁର : ଦର୍ପଣ ତହସିଲର ସରକାରୀ ଅମିନ ଦାଶରଥୀ ନାୟକଙ୍କର ଅପହରଣ ଘଟଣାରେ ବଡଚଣା ପୁଲିସ ଆଜି ଦୁଇ ଜଣ ଅଭିଯୁକ୍ତ ରବିନ୍ଦ୍ର କମାର ଦାସ ଓ ମାନସ ପଣ୍ଡାଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ ଓ ଏକ ମାରୁତି କାର (ଓଆର୍‌-୦୨ଏଚ୍‌-୮୮୦୭) ଜବତ କରାଯାଇଛି। ରବିନ୍ଦ୍ରଙ୍କର ଘର କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମରେ ହୋଇଥିବା ବେଳେ ମାନସଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ କଇରିପୁର ଗ୍ରାମରେ।

Advertisment

publive-image

ପ୍ରକାଶଥାଉକି ଗତ ୨୦ ତାରିଖରେ ବଡ଼ଘୁମୁରୀ ଗ୍ରାମର ସରକାରୀ ଅମିନ ଦାଶରଥୀ ନାୟକ ତାଙ୍କ ପୁଅର କଡେଇ ଛକରେ ଥିବା ସିମେଣ୍ଟ ଦୋକାନରେ ବସିଥିଲେ। ସକାଳ ପ୍ରାୟ ୯ଟା ସମୟରେ ହଠାତ୍‌ ଏକ ମାରୁତି-୮୦୦ କାରରେ ୪ ଜଣ ଦୁର୍ବୃତ୍ତ ଦାଶରଥୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଯାଇଥିଲେ। ଅପହରଣ ପରେ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଦାଶରଥୀଙ୍କୁ ଛାଡ଼ିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ।

publive-image

ଅପହର୍ତ୍ତାଙ୍କ ଫୋନ୍‌ ପାଇବା ପରେ ପରିବାର ଲୋକେ ବଡଚଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ମାମଲାର ତଦନ୍ତ କରି ଖୋର୍ଦ୍ଧା ବାଲିପାଟଣା ଥାନା କଇରିପୁରରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ମାନସ ପଣ୍ଡାଙ୍କ ଘରୁ ଦାଶରଥୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ରବୀନ୍ଦ୍ର ଓ ମାନସକୁ ଗିରିଫ କରିଥିଲେ। ଥାନା କେସ୍‌ ନମ୍ବର ୨୫୧/୨୦ ଦଫା୩୬୪(ଏ), ୧୦୯, ୩୪ ଏବଂ ୨୫/୨୭ ଆର୍ମ ଆକ୍ଟରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ପୁରୁଣା ଜମି କେସରେ ଦାଶରଥୀଙ୍କ ପାଇଁ ମାନସ ୫ ଲକ୍ଷ ଟଙ୍କା ସମ୍ପତି ହରାଇଥିଲେ। ସେହି ଟଙ୍କା ଭରଣା ପାଇଁ ଅପହରଣ କରିଥିଲେ ବୋଲି ପୁଲିସ ନିକଟରେ ମତ ରଖିଛନ୍ତି।