ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଯାଜପୁରରୁ ଆଉ ୨ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେମାନେ ହେଲେ ମୃତ ଅଧ୍ୟାପିକାଙ୍କ ସମ୍ପର୍କୀୟା ଭାଉଜ ଝାରପୋଖରିଆ ଥାନା ଉମାଦେଇପୁର ଗ୍ରାମର ମିନିମୟୀ ସାହୁ ଓ ତାଙ୍କ ଭଉଣୀ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମୁରାବାଲି ଗ୍ରାମର ଶୈଳବାଳା ସାହୁ। ମୟୂରଭଞ୍ଜ ଏସ୍‌ପି ସ୍ମିତ୍ ପି.ପରମାରଙ୍କ ନେତୃତ୍ବରେ ରାଇରଙ୍ଗପୁର ଟାଉନ ଥାନାର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଯାଜପୁରରୁ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଧ୍ୟାପିକାଙ୍କୁ ଦୁଷ୍କର୍ମ ପରେ ତାଙ୍କର ସଂପର୍କୀୟା ଭାଉଜ ମିନିମୟୀ ଧମକଚମକ ଦେବା ସହିତ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଧ୍ୟାପିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଆଜି ରାଇରଙ୍ଗପୁର ଏସ୍‌ଡିଜେଏମ୍ କୋର୍ଟଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ଅଧ୍ୟାପିକା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁକୁ ପୁଲିସ ଗିରଫ କରିଥିଲା। ଅଧ୍ୟାପିକାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ରାଇରଙ୍ଗପୁର ଟାଉନ ଥାନା‌ କେସ୍ ନଂ ୧୫୪/୧୯ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନକୁ ସହଯୋଗ କରୁଥିବା ଅନ୍ୟ ତିନି ଅଭିଯୁକ୍ତ ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳ ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ପୁଲିସ ପୂର୍ବରୁ ଗିରଫ କରି କୋର୍ଟଚାଲାଣ କରିସାରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ରାଇରଙ୍ଗପୁର ଟାଉନ ଆଦର୍ଶ ଥାନାଧିକାରୀ ରଂଜନ କୁମାର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର