ଡେଲାଙ୍ଗରେ ବିଜେଡି କର୍ମୀଙ୍କୁ ହତ୍ୟା ଘଟଣା: ୨ ହତ୍ୟା ଅଭିଯୁକ୍ତ ଗିରଫ

ଡେଲାଙ୍ଗ : ଡେଲାଙ୍ଗ ଥାନା ଜେନାପୁର ପଞ୍ଚାୟତ ଦେପୁର ଶାସନ ଗ୍ରାମ ଅନୁସୂଚିତ ଜାତି ବସ୍ତିର ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ଆଜି ଡେଲାଙ୍ଗ ପୁଲିସ ଭୁବନେଶ୍ୱରରୁ ଆଉ ଦୁଇ ଜଣ ବିଜେପି ସମର୍ଥିତଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବା ପରେ ଦୁଇ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଡେଲାଙ୍ଗ ଥାନା ପୁଲିସ ସୂଚନା ଦେଇଛି।

ଗିରଫ ଦୁଇ ହତ୍ୟା ଅଭିଯୁକ୍ତ ହେଲେ ଦେପୁର ଶାସନ ଗ୍ରାମର ନାରଣ ଷଡ଼ଙ୍ଗୀ ଓ ଅମି ଷଡ଼ଙ୍ଗୀ। ପିପିଲି ଉପନିର୍ବାଚନରେ ବିଜେଡି ଭୋଟ ହାତେଇବା ପାଇଁ ବିଜେପି କର୍ମୀ ସାହିଭାଇଙ୍କୁ ଭୋଜିଭାତ ଦେବା ପାଇଁ ପାଣ୍ଡବ ବେହେରାଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ମାତ୍ର ସାହି ଭାଇମାନେ ବିଜେଡିକୁ ଭୋଟ ଦେବାକୁ ଆଗରୁ ମନ ସ୍ଥିର କରିଥିବା କହିବା ସହ ଉକ୍ତ ଟଙ୍କାକୁ ବିଜେପି କର୍ମୀଙ୍କୁ ଫେରାଇ ଦେବାକୁ କହିଥିଲେ।

ପାଣ୍ଡବ ଟଙ୍କା ଫେରାଇବା ସମୟରେ ଅଭିଯୁକ୍ତ ବିଜେପି କର୍ମୀମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପାଣ୍ଡବଙ୍କ ପତ୍ନୀ ବନିତା ବେହେରାଙ୍କ ଅଭିଯୋଗକ୍ରମେ ଡେଲାଙ୍ଗ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପ୍ରଥମେ ପେଜୁ ଷଡ଼ଙ୍ଗୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିଲେ। ଆଜି ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର