ନକଲି ଔଷଧ ଵ୍ୟଵସାୟ ଘଟଣା: ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁରୀଘାଟ ଥାନାରେ ଜେରା

କଟକ: ବିହାରର ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଛି ପୁଲିସ। ଦୁଇ ଅଭିଯୁକ୍ତଙ୍କୁ କଟକ ପୁଲିସ ଟ୍ରାନଜିଟ ରିମାଣ୍ଡରେ ଆଣିଛି। ଅଭିଯୁକ୍ତମାନଙ୍କୁ ଏଵେ କଟକର ପୁରୀଘାଟ ଥାନାରେ ଜେରା ଚାଲିଛି।
ସୂଚନାଯୋଗ୍ୟ, ନକଲି ଔଷଧ ମାମଲାରେ କମିସନରେଟ୍ ପୁଲିସ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗସ୍ କମ୍ପାନିରେ ଚଢ଼ାଉ କରିଛି। ଏହି କମ୍ପାନିର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଗିରଫ କରି ପୁରୀଘାଟ ଥାନା ପୁଲିସ ଟ୍ରାନଜିଟ୍ ରିମାଣ୍ଡରେ କଟକ ଆଣିବାକୁ ଯୋଜନା କରିଥିଲା। ତେବେ ପୁଲିସ ସେହି କମ୍ପାନିରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍ର ସଞ୍ଜୟ ଜଲାନଙ୍କ ନିକଟରୁ ୫୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ବିହାର ଯାଇଥିବା ୪ ଜଣିଆ ଟିମ୍ ଶନିବାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଗୟା ପୁଲିସର ଏକ ଟିମ୍ ଏବେ ପୁରୀଘାଟ ଥାନା ପୁଲିସ ସହିତ ମିଶି ଏହି ତଦନ୍ତ କରୁଛି। ବାଲାଜୀ ଡ୍ରେଗସ୍ କମ୍ପାନିର କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ଏହି କମ୍ପାନିକୁ ଡ୍ରଗସ୍ ପକ୍ଷରୁ କୌଣସି ଲାଇସେନ୍ସ ମିଳିଛି କି ନାହିଁ ଏବଂ କଟକରେ କେବଳ ରାହୁଲ ଓ ସଞ୍ଜୟକୁ ଏମାନେ ନକଲି ଔଷଧ ଚାଲାଣ କରୁଥିଲେ ନା ଅନ୍ୟ କେଉଁମାନଙ୍କୁ ଚାଲାଣ କରୁଥିଲେ, ସେ ନେଇ କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ପୁଲିସ ଗୟା ପରେ କର୍ଣ୍ଣାଟକ ବାଙ୍ଗାଲୁରର ଶିବାଜୀ ନଗରରେ ଥିବା ଶ୍ରୀ ବାଲାଜୀ ଏଜେନ୍ସିକୁ ଯିବାକୁ ଯୋଜନା କରୁଛି। ସେଠାରେ କେଉଁମାନେ ଏହି ନକଲି ଔଷଧ ଓଡ଼ିଶାକୁ ଚାଲାଣ କରୁଥିଲେ, ସେମାନଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ସମ୍ବନ୍ଧିତ ଖବର