କୋର୍ଟ ପରିସରରୁ ୨ ବନ୍ଦୀ ଚମ୍ପଟ : ୩ ପୁଲିସ କର୍ମଚାରୀ ନିଲମ୍ବିତ

ଦୁଷ୍କର୍ମ ଓ ଡକାୟତି ମାମଲାରେ ଥିଲେ ଅଭିଯୁକ୍ତ

ଜୟପୁର : ଜୟପୁରସ୍ଥିତ କୋରାପୁଟ ଜିଲ୍ଲା କୋର୍ଟ ପରିସରରୁ ଦୁଇ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେମାନେ ହେଲେ କେ. ପବନ କୁମାର ରାଓ ଓ ଲାଲ ବାହାଦୁର ଦର୍ଜି। ଗୋଟିଏ ମାମଲାର ଦୁହେଁ ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ। ତେବେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପୁଲିସକୁ ଚକମା ଦେଇ ସାଢ଼େ ୫ଫୁଟ ଉଚ୍ଚ କାନ୍ଥକୁ ଡେଇଁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସିଜିଏମଙ୍କ କୋର୍ଟରେ ୧୦ରୁ ଅଧିକ ମାମଲାର ଶୁଣାଣି ପାଇଁ ଜୟପୁର ସବଜେଲରୁ କଏଦୀଙ୍କୁ ନେଇ ୧୨ ଜଣିଆ ଟିମ୍‌ ଆସିଥିଲା। ସିଜିଏମଙ୍କ ନିକଟରେ ହାଜର କରିବା ପୂର୍ବରୁ ପବନ ଓ ଲାଲ ବାହାଦୂର ପରିସ୍ରା ଯିବାକୁ କହିଥିଲେ। ତେଣୁ ପୁଲିସ କର୍ମଚାରୀ କେ.ଶାଙ୍କ୍ରି କୁମାର ଦୁଇ ଜଣଙ୍କୁ ପରସ୍ରାଗାରକୁ ନେଉଥିଲେ। ସୁରକ୍ଷା ବ୍ୟବସ୍ଥା ଢିଲା ହେବାରୁ ଏହାର ସୁଯୋଗ ନେଇ ଦୁହେଁ କାନ୍ଥ ଡେଇଁ ପଳାଇ ଯାଇଥିଲେ। ପୂର୍ବରୁ ଫେରାର ହେବା ପାଇଁ ଦୁହେଁ ଯୋଜନା କରିଥିବାରୁ ସେମାନଙ୍କୁ କୋର୍ଟ ବାହାରେ ଅନ୍ୟ ଜଣେ ଯୁବକ ଗ୍ଲାମର ବାଇକ ଧରି ଅପେକ୍ଷା କରିଥିଲେ। କୋର୍ଟ ବାହାରକୁ ଆସିବା କ୍ଷଣି ବାଇକରେ ବସି ଦୁଇ ଅଭିଯୁକ୍ତ କେନ୍ଦୁଲିଫ୍ କାର୍ଯ୍ୟାଳୟ ଦେଇ ଚମ୍ପଟ ମାରିଥିବା ଜଣାପଡିଛି।

ଘଟଣା ସଂପର୍କରେ ଖବର ପାଇ ଜୟପୁର ଟାଉନ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ଏଏସପି ଭି.ଆର ରାଓ, ଜୟପୁର ଏସଡିପିଓ ଦାୟିତ୍ବରେ ଥିବା ଟି.ଜେ ରେଡ୍ଡି, ଆଇଆଇସି ବାଲେଶ୍ବର ଗିଧି, ଏସଆଇ ଶିଙ୍କର ସାହୁ ଓ ଏସଆଇ ତପନ କୁମାର ନାହାକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣାର ତଦନ୍ତ କରିଛନ୍ତି। ଦୁହିଁଙ୍କ ନାଁରେ ଦୁଷ୍କର୍ମ, ଡକାୟତି ଭଳି ସଂଗିନ ମାମଲା ରହିଥିବା ଜଣାପଡ଼ିଛି। ଏହି ଘଟଣାରେ କାର୍ଯ୍ୟରେ ନିୟୋଜିତ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର