ଅନୁଗୁଳ : ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାୟ, ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

ଅନୁଗୁଳ : ଶନିବାର ଅନୁଗୁଳ କୋର୍ଟ ଇତିହାସରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଛି। ଗୋଟିଏ ଦିନରେ ଗୋଟିଏ କୋର୍ଟରେ ଦୁଇଟି ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଉଭୟ ମାମଲାର ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ଦଣ୍ଡିତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିକ୍ଷକ ରଘୁନାଥ ନାୟକ ରହିଥିବାବେଳେ ଆଉ ଜଣେ ଅଭିଯୁକ୍ତ ହେଲା ରସାନନ୍ଦ ବେହେରା। ରସାନନ୍ଦ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପକ୍‌ସୋ ଜଜ୍ ପ୍ରଭାକର ଗଣ୍ଠିଆ ଆଜି ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଗତ ୨୦୧୪ ମସିହା ମାର୍ଗଶୀର ମାସର ଘଟଣା। ଠାକୁରଗଡ଼ ଥାନା ତରଣ୍ଡା ଗାଁର ରଘୁନାଥ ନାୟକ(୪୦) ବୃତ୍ତିରେ ଜଣେ ପ୍ରାଥମିକ ଶିକ୍ଷକ। ସେ ନିଜ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବାରଂବାର ପ୍ରେମ ନିବେଦନ କରୁଥିଲା। ଦିନେ ନାବାଳିକା ଜଣକ ତାଙ୍କ ବଗିଚାରେ ଏକାକୀ ଥିବା ଦେଖି ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ପିତା ଗ୍ରାମସଭାର ହସ୍ତକ୍ଷେପ ଲୋଡ଼ି ଥିଲେ। ଗ୍ରାମସଭା ବସିଥିଲେ ହେଁ ରଘୁନାଥ ବିବାହ କରିବାକୁ ମନା କରି ଦେବାରୁ ପୀଡ଼ିତା ୨୦୧୫ ମସିହାରେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର ବେଳେ କୋର୍ଟରେ ୧୧ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା ଏହି ମାମଲାରେ ଶିକ୍ଷକ ରଘୁନାଥ ନାୟକ ଦୋଷୀ ସାବ୍ୟସ୍ତ ହୋଇଥିଲା। ଆଜି ମାମଲାର ରାୟ ଶୁଣାଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ଅଭିଯୁକ୍ତ ରଘୁନାଥକୁ ପୋକ୍‌ସୋ ଆକ୍ଟର ଧାରା ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ଅନ୍ୟ ଘଟଣା ଘଟିଥିଲା ଅନୁଗୁଳ ଜିଲ୍ଲା ପାଣିଓଳା ଗ୍ରାମର। ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ସେହି ଗାଁର ରସା ଓରଫ ରସାନନ୍ଦ ବେହେରା(୪୫) ଦୁର୍ଷ୍କମ କରିଥିବା ନେଇ ଗତ ୧୩ ମାର୍ଚ ୨୦୧୮ରେ ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା। ରସାନନ୍ଦର ନିଜଘର ବନ୍ତଳା ଥାନା ପୁରୁଣାଗଡ଼ ପାଖ ବଣିଆସାହିରେ। ତେବେ ସେ ପାଣିଓଳା ଗାଁରେ କିଛି ବର୍ଷ ହେଲା ରହୁଥିଲା। ଛାତ୍ରୀଙ୍କ ପିତାମାତା ଦିନମଜୁରିଆ। ସେମାନେ କାମ କରିବାକୁ ପ୍ରତିଦିନ ବାହାରକୁ ଯାଇଥାନ୍ତି। ଛାତ୍ରୀ ଜଣକ ତାଙ୍କ ଅନ୍ୟ ଦୁଇ ଭାଇଭଉଣୀଙ୍କ ସହିତ ଘରେ ଥାଆନ୍ତି। ଛାତ୍ରୀଙ୍କ ପିତାମାତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ରସାନନ୍ଦର ବିବାହର ପ୍ରତିଶ୍ରୁତି ଦେଇ ବାରଂବାର ଦୁଷ୍କର୍ମ କରୁଥିଲା। ଛାତ୍ରୀ ଜଣକ ଗର୍ଭବତୀ ହେବା ପରେ ସେ କିନ୍ତୁ ଆଉ ନିଜ ପ୍ରତିଶ୍ରୁତି ରଖିନଥିଲା। ପୀଡ଼ିତା ପରିବାର ଲୋକଙ୍କୁ ଜଣାଇବା ପରେ ବଅଁରପାଳ ଥାନା ପୁଲିସ ଏକ ମାମଲା ରୁଜୁ କିର ଅଭିଯୁକ୍ତ ରସାନନ୍ଦ ବେହେରାକୁ ଗିରଫ କରିଥିଲା। ଏହି ମାମଲାର ବିଚାର ବେଳେ ୧୭ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ଅଭିଯୁକ୍ତ ରସାନନ୍ଦ ‌ବେହେରାକୁ ପୋକ୍‌ସୋ ଆଇନର ଧାରା ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଅନ୍ୟ ଏକ ଧାରା ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଉଭୟ ମାମଲା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର