ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ମାନୁ ମହଲାରେ ଜଣେ ୮ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ତଥା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ଦୁଇ ଆସାମୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ, ଏସ୍‌.କେ ଆସିଫ୍‌ ଅଲ୍ଲୀ ଓରଫ୍ ଏମଡି ଆସିଫ୍‌ ଅଲ୍ଲୀ ଓ ଶେଖ୍ ଅକିଲ। ଏଥିସହିତ ଉଭୟଙ୍କୁ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଶେଖ୍ ଆବିଦ ଓ ଶେଖ୍ କରିମ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ରାୟ ପରେ ମୁଖ୍ୟ ଅଭିଯୁକ୍ତ ଶେଖ୍ ଆସିଫକୁ ଜଗତସିଂହପୁର ଆଳିପିଙ୍ଗଳ ଉପ କାରାଗାରକୁ ପଠାଯାଇଥିବା ବେଳେ ଶେଖ୍‌ ଅକିଲକୁ ଚୌଦ୍ବାର ମଣ୍ଡଳ କାରାଗାର ପଠାଇ ଦିଆଯାଇଛି।

Advertisment

୨୦୧୪ ଅଗଷ୍ଟ ୨୧ ତାରିଖରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲା। ପୀଡ଼ିତା ନାବାଳିକା ନିଜ ସମ୍ପର୍କୀୟ ଭାଇ ସହ ଘର ନିକଟସ୍ଥ ଏକ ଦୋକାନକୁ ଚକୋଲେଟ୍ କିଣିବାକୁ ଯାଇଥିଲା। କିନ୍ତୁ ସେ ଦୀର୍ଘସମୟ ଧରି ଘରକୁ ଫେରି ନ ଥିଲା।

ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ଘର ତାଜାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ କଟକ ନିଆଯାଇଥିଲେ ମଧ୍ୟ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୀଡ଼ିତାଙ୍କ ମାଉସୀ ଥାନାରେ ଏତଲା ଦେଇଥିଲେ। ମାସକ ଭିତରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

କୋର୍ଟ ମାମଲାର ଶୁଣାଣି କରିବା ସହ ୨୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। ଆଜି ଅପରାହ୍ନ ପ୍ରାୟ ୨ଟାରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୀଡ଼ିତା ଜଣେ ନାବାଳିକା ହୋଇଥିବା ବେଳେ ଏବଂ ଏହା ଏକ ଜଘନ୍ୟ କାଣ୍ଡ ହୋଇଥିବାରୁ ଆସାମୀଙ୍କୁ ଫାଶୀ ଦଣ୍ଡଦେବାକୁ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ଆସାମୀଙ୍କର ଏହା ପ୍ରଥମ ଅପରାଧ ହୋଇଥିବାରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ। ଦୁଇପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଆସାମୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ପ୍ରତ୍ୟକ୍ଷଦର୍ଶୀ ନ ଥିଲେ, ଆହ୍ବାନ ଥିଲା: ତଦନ୍ତକାରୀ ଅଧିକାରୀ
ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକଙ୍କ କହିଛନ୍ତି ଯେ ଏହି ମାମଲା ବେଶ୍ ସମ୍ବେଦନଶୀଳ ଥିଲା। ଏହାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ବିବେଚନା କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରଥମ ୨୪ ଘଣ୍ଟା ଭିତରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଆସିଫ୍ ଓ ଅନ୍ୟ ସହଯୋଗୀମାନେ ଦୁବାଇ ଚାଲିଯିବା ଆଶଙ୍କା ଥିଲା। ତେଣୁ ବିମାନବନ୍ଦରରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ମାମଲାର ୧୦ ଦିନ ପରେ ଆସିଫ୍ ଓ ଅନ୍ୟ ଜଣେ ସହଯୋଗୀ ଟ୍ରେନ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଉଭୟଙ୍କୁ ପୁଲିସର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ରେଳଷ୍ଟେସନ ନିକଟରୁ ଗିରଫ କରିଥିଲା। ସେହିପରି ସହଯୋଗୀ ଅକିଲକୁ ମାସକ ପରେ ତିର୍ତ୍ତୋଲରୁ ଗିରଫ କରା ଯାଇଥିଲା।

ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିଲେ। ତେଣୁ ପାରିପାର୍ଶ୍ବିକ ଓ ଫୋରେନସିକ୍ ପ୍ରମାଣକୁ ଗୁରୁତ୍ବ ଦିଆଯାଇଥିଲା। ଅଭିଯୁକ୍ତଙ୍କ ଫିଙ୍ଗରପ୍ରିଣ୍ଟ ଠାରୁ ଆରମ୍ଭ କରି ଅନ୍ୟ ନମୁନାରୁ ସମସ୍ତ ପ୍ରମାଣ ମିଳିଥିଲା। ଗଣଦୁଷ୍କର୍ମ ଓ ହତ୍ୟାନେଇ ବଳିଷ୍ଠ ପ୍ରମାଣ ଥିବାରୁ ୬୦ ଦିନ ଭିତରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା।