ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା: ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ଥାନା ଅନ୍ତର୍ଗତ  ମାଧପୁରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ବୁଧବାର ରାତିରେ ତାଲା କାଟି ଏକ ଲକ୍ଷ  ଟଙ୍କା ଚୋରି କରିନେଇଥିବା ଘଟଣାରେ ପୁଲିସ ୨ ଅଭିଯୁକ୍ତକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଛି।

ପ୍ରକାଶ ଥାଉକି ଗତ ବୁଧବାର ରାତିରେ  ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟର ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରି କରିନେଇଯାଇଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ପୁରୂଣାକଟକ ଥାନାରେ ଗୁରୁବାର ଦିନ ଅଭିଯୋଗ କରିବା ପରେ ପୁଲିସ ଥାନା କେସ ନଂ ୭୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଚୋର ମାନଙ୍କୁ ଚିହ୍ନଟ କରିପାରିଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ନୟାଗଡ ଜିଲାରୁ ଆସି ମାଧପୁର ନିକଟସ୍ଥ ଗୋଛାବାରୀ ସାହି ଠାରେ ରହୁଥିବା ହରିହର ପ୍ରଧାନ (୨୭) ଓ କଟକ ଜିଲାରୁ ଆସି ମାଧପୁର ଠାରେ ରହୁଥିବା  ଜିତେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଥିଲା। ପୁଲିସ ହରିହର ଠାରୁ ୮୦ ହଜାର ଟଙ୍କା ଜବତ କରିଥିବା ମଧ୍ୟ ଜଣାପଡିଛି । ପୁଲିସ ଶନିବାର ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର