କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ପ୍ରମୋଦ ଜୈନଙ୍କ ନାବାଳକ ପୁଅ ଲଳିତ ଜୈନ (୧୪ବର୍ଷ)ଙ୍କ ଶବ ଗତ ୧୫ ତାରିଖ ଦିନ ମାଟିତଳୁ ଉଦ୍ଧାର କରାଯାଇଥିଲା। ସରକାରୀ ରେଳବାଇ ପୁଲିସ ସେ ଆତ୍ମହତ୍ୟା କରିଥିବା ଓ ପରିଚୟ ମିଳିନଥିବା ଦର୍ଶାଇ ରେଳଲାଇନ କଡ଼ରେ ଥିବା ଏକ ମଶାଣିରେ ପୋତି ଦେଇଥିଲା। ଏବେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ଟଙ୍କା କାରବାରକୁ କେନ୍ଦ୍ର କରି ସ୍ଥାନୀୟ ଆଲିଶାନ ଲାଇଫ୍ଷ୍ଟାଇଲ୍ଠାରେ କଙ୍ଗାରୁ କୋର୍ଟ ବସି ଲଳିତଙ୍କୁ ନିର୍ଯାତନା ଦେଇଥିବା ଓ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ କଣ୍ଟାବାଞ୍ଜି ସହରର ଦୁଇ ଭାଇ ବିଶାଲ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି। ଅନ୍ୟପକ୍ଷରେ ପ୍ରମୋଦଙ୍କ ପରିବାର ଲୋକେ ଲଳିତଙ୍କୁ ହତ୍ୟା କରାଯାଇ ପରେ ଆତ୍ମହତ୍ୟା ରୂପ ଦେବାକୁ ରେଳଲାଇନ୍ରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛନ୍ତି।
ସୂଚନା ଅନୁସାରେ, ଗତ ୧୩ ତାରିଖରୁ ଲଳିତ ନିଖୋଜ ଥିବା ନେଇ ତାଙ୍କ ବାପା ପ୍ରମୋଦ ଗତ ୧୪ ତାରିଖ ଦିନ ଏତଲା ଦେଇଥିଲେ। ଏହା ପରେ ଜିଆର୍ପି ଏକ ଅଜଣା ମୃତଦେହ ପୋତିଥିବା ଜଣାପଡ଼ିଥିଲା। ସନ୍ଦେହରେ ପୁଲିସ ଉକ୍ତ ସ୍ଥାନରୁ ମାଟିତଳୁ ଶବ ଉଦ୍ଧାର କରିଥିଲା ଓ ତାହା ଲଳିତଙ୍କ ବୋଲି ଜଣାପଡ଼ିଥିଲା। ପ୍ରମୋଦଙ୍କ କହିବା ଅନୁସାରେ ଆଲିଶାନ୍ ଲାଇଫ୍ଷ୍ଟାଇଲ୍ରେ ନିଖୋଜ ପୂର୍ବରୁ ତାଙ୍କ ପୁଅ ଲଳିତକୁ ଡକାଯାଇ ଟଙ୍କା ନେଣଦେଣ ଉପରେ ଆଲୋଚନା ହୋଇଥିଲା। ତା ପରଠାରୁ ଲଳିତର କୌଣସି ପତ୍ତା ମିଳିନଥିଲା। ଥାନାରେ ନିଖୋଜ ଏତଲା ଦେବା ପୂର୍ବଦିନ ହିଁ ଜିଆର୍ପି ରେଳ ଲାଇନ୍ରୁ ଏକ ମୃତଦେହ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ନକରାଇ କିମ୍ବା କୌଣସି ଅନୁସନ୍ଧାନ ନକରି ପୋତି ଦେଇଥିଲା ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି। ରେଳ ଲାଇନରୁ ଶବ ଉଦ୍ଧାର ପରେ ୪୮ଘଣ୍ଟା ମଧ୍ୟ ଜିଆର୍ପି ନରଖି ପୋତିଦେଲା। ପରେ ମାଟିତଳୁ ଶବ ବାହାର କଲା ପରେ ବି ବ୍ୟବଚ୍ଛେଦ ନକରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ଏଥିରୁ କଣ୍ଟାବାଞ୍ଜି ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କଣ୍ଟାବାଞ୍ଜିବାସୀ ଦାବି କରିଛନ୍ତି।