ଜୟପୁର: ଲୋକଙ୍କ ମଧ୍ୟରେ ମରିଗଲାଣି ମାନବିକତା। ଯେଉଁ ଗାଡ଼ିକୁ ଦେଖିବା ମାତ୍ରକେ ଲୋକେ ବାଟ ଛାଡ଼ିବା କଥା ତାହା କରୁ ନାହାନ୍ତି। ୧୦୮ କିମ୍ବା ୧୦୨ ଆମ୍ବୁଲାନସକୁ ଦେଖିବା ମାତ୍ରକେ ରାସ୍ତା ଦେବାକୁ ବି ସରକାର ନିୟମ କରିଛନ୍ତି। ଏହା ବାସ୍ ବି କେହି ଏହାକୁ ମାନୁ ନାହାନ୍ତି। ଯଦି ଟ୍ରାଫିକ ଜାମରେ୧୦୨ କିମ୍ବା ୧୦୮ଆମ୍ବୁଲାନସ୍ ଗାଡି ଫସିଯାଏ ତେବେ ଏହି ଗାଡ଼ିରେ ଯାଉଥିବା ଗୋଟିଏ ଜୀବନର ମୂଲ୍ୟ କଥା ଟ୍ରାଫିକ୍ ଜାମ୍ କରୁଥିବା ଲୋକେ ବୁଝି ପାରନ୍ତି ନାହିଁ। ରାସ୍ତା ଜାମ୍ କରି ନିଜେ ନିଜ ରାସ୍ତାରେ ଯିବାକୁ ଠିକ୍ ଭାବି ଥାନ୍ତି। ବହୁ ସମୟରେ ଏଭଳି ଟ୍ରାଫିକ୍ ଜାମରେ ଆମ୍ବୁଲାନସ୍ ପସିବା ଫଳରେ ବହୁ ଗୁରୁତର ରୋଗୀଙ୍କ ଜୀବନ ଦୀପ ଲିଭିଯିବାର ବି ନଜିର ରହିଛି। ସେଭଳି ଦୁଇଟି ଚିତ୍ର ଆଜି ଜୟପୁର ସହରରେ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଲେଖାଏଁ ଟ୍ରାଫିକ ଜାମରେ ଡିଏଚଏଚ ଜୟପୁରରୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ଯାଉଥିବା ୧୦୨ଆମ୍ବୁଲାନସଟି ପସି ରହିଯାଇଥିଲା।
ସକାଳ ୧୧ଟା ବେଳେ ଗୋଟିଏ ଗାଡ଼ି ଫସିଥିଲା। ସେଭଳି ସାଢ଼େ ୧୨ଟା ବେଳେ ଆଉ ଗୋଟିଏ ଗାଡ଼ି ଜୟପୁର ବ୍ଲକର ଗୋଟିଏ ଗାଁରୁ ରୋଗୀ ନେଇ ଆସୁଥିବା ବେଳେ ବିଜେଡିର ଶୋଭାଯାତ୍ରା ଟ୍ରାଫିକ ଜାମରେ ଫସିଯାଇଥିଲା। ସାଦାରଣ ନିର୍ବାଚନ ପାଇଁ କୋଟପାଡ଼ ଓ ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିଲା। ଏଥି ପାଇଁ ଦଳୀୟ ପ୍ରାର୍ଥୀଙ୍କ ସମର୍ଥକମାନେ ବିଭିନ୍ନ ଗାଡ଼ିରେ ଜୟପୁର ସହରକୁ ଆସୁଥିବାରୁ ଅଧିକା ଟ୍ରାଫିକ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା। ତା ସାଙ୍ଗକୁ କୋରାପୁଟ ଜିଲ୍ଲାର ପ୍ରମୁଖ ତଥା ଲାଇଫ୍ ଲାଇନ୍ ତଥା ଏନଏଚ୍ ହୋଇଥିବାରୁ ଏହି ରାସ୍ତାରେ ଭାରୀଯାନ ସହ ଛୋଟ ବଡ଼ ଶତାଧିକ ଗାଡ଼ି ଯିବା ଆସିବା କରୁଛି। ଏହାରି ଫଳରେ ଏଠାରେ ଟ୍ରାଫିକ ଜାମ୍ ହେଉଛି।
ତେବେ ଏହାକୁ ହଟାଇବାକୁ କୌଣସି ପୁଲିସ ଅଧିକାରୀଙ୍କର ଦେଖା ବି ମିଳି ନଥିଲା। ଏହା ଫଳରେ ଆଜି ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ ଛକରୁ କାଳିଆ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା। ଶହ ଶହ ଟ୍ରକ, ବସ୍, ବାଇକ୍, ଅଟୋ ଆଦି ଜାମ୍ ମଧ୍ୟରେ ରହିଥିଲା। ଏଭଳି ଟ୍ରାଫିକ ଜାମରେ ଆମ୍ବୁଲାନସ୍ ପସିବା ଦୁର୍ଭାଗ୍ୟଜନକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଭଳି ଶୋଭାଯାତ୍ରା ସମୟରେ ମୁଖ୍ୟତଃ ଏନଏଚରେ ଅଧିକା ପୁଲିସ ନିୟୋଜିତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।