ରାୟଗଡା: ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତର ସିଜିମାଳ ଖଣି ଅଂଚଳ ବୁଲିବାକୁ ଯାଇ ମୈତ୍ରୀ କମ୍ପାନିର ଅଧିକାରୀମାନେ ହଟହଟା ହୋଇଛନ୍ତି। ପୁଲିସର ସୁରକ୍ଷା ବଳୟରେ ଏହି ଅଧିକାରୀମାନେ ସୁଙ୍ଗେର ଅଂଚଳ ବୁଲିବାକୁ ଯାଇଥିଲେ। ଶନିବାର ସୁଙ୍ଗେରରୁ ଫେରିଲା ବେଳେ ସିଆଡିମାଳ ବ୍ରିଜ ନିକଟରେ ଶତାଧିକ ମହିଳା ପୁରୁଷ ରୁଣ୍ଡ ହୋଇ ସେମାନଙ୍କୁ ଅଟକାଇଥିଲେ। ଗୋ ବେକ ମୈତ୍ରୀ, ଗୋ ବେକ ବେଦାନ୍ତ ନାରା ଦେଇ ସେମାନଙ୍କୁ ଏହି ଅଂଚଳରୁ ହଟିବାକୁ ଚେତାବନୀ ଦେଇଥିଲେ। ରାୟଗଡା ଓ କଳାହାଣ୍ଡି ଅଂଚଳର ପ୍ରାୟ ୪୦ଟି ଗ୍ରାମର ଲୋକେ ଏକତ୍ର ହୋଇ ଏହି ଖଣିକୁ ବିରୋଧ କରିଆସୁଛନ୍ତି।

Advertisment

ପ୍ରକାଶ ଥାଉକି ସିଜିମାଳ ଖଣି ଅଂଚଳକୁ ବେଦାନ୍ତକୁ ସରକାର ଅନୁମତି ଦେଇଛନ୍ତି। ଏହି କାମକୁ ମୈତ୍ରୀ କମ୍ପାନି ବୁଝାସୁଝା କରୁଛି। ଏହାକୁ ବିରୋଧ କରି ଗତ ଦୁଇ ଦୁଇ ଥର କାଶୀପୁର ଥାନା ଘେରାଉ କରିଥିଲେ। ଗତକାଲି ମଧ୍ୟ ସିଜିମାଳ ଅଂଚଳ ବୁଲି ଫେରୁଥିବା ବେଳେ ମୈତ୍ରୀ କମ୍ପାନିର ଶ୍ରୀନିବାସ ଓ ସତ୍ୟନାରାୟଣଙ୍କୁ ଗ୍ରାମବାସୀ ଘେରି ପଚରାଉଚରା କରଥିଲେ। ଏପରିକି ସେମାନଙ୍କୁ ପ୍ରାୟ ଦେଢ କିଲୋମିଟର ଚଲାଇ ଚଲାଇ ନେଇଥିଲେ। ଶନିବାର ପ୍ରାୟ ଅଢେଇ ଘଣ୍ଟା ଅଟକାଇ ମୈତ୍ରୀ କମ୍ପାନିର କର୍ମକର୍ତ୍ତାଙ୍କୁ ପୁଣି ଏଠାକୁ ନଫେରିବାକୁ ତାଗିଦ କରିଥିଲେ। ତେବେ ମୈତ୍ରୀ କମ୍ପାନିର ଅଧିକାରୀମାନଙ୍କୁ ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା।