ଦୁଇ ଆର୍କିଟେକ୍ଟଙ୍କୁ ଅପହରଣ; ୩୦ ଲକ୍ଷରେ ମୁଣ୍ଡଜାମିନ୍‌ ରଖିଥିଲେ, କୌଶଳକ୍ରମେ ଖସି ଆସିଲେ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ପାଲୁର୍‌ ହିଲସ୍‌ ନିକଟରେ ଚାଲିଥିବା ଆଇଜର୍‌ କୋଠାର ଡିଜାଇନ୍‌ କାମ ପାଇଁ ଆର୍କିଟେକ୍ଟ ଆବଶ୍ୟକ ବୋଲି ଫୋନ୍‌ କଲ୍‌ ଆସିଥିଲା। ସମସ୍ତ ପ୍ରକାର ଚୁକ୍ତି ଆଦି ସମ୍ପର୍କରେ ଅନ୍‌ଲାଇନ୍‌ରେ ଆଲୋଚନା ପରେ ଭୁବନେଶ୍ବରର ଦୁଇ ଜଣ ଆର୍କିଟେକ୍ଟ ନିଜ କାର୍‌ରେ ବ୍ରହ୍ମପୁର ଆସିଥିଲେ। ମୋବାଇଲ୍‌ ଜିପିଏସ୍‌ରେ ସେମାନଙ୍କ ଗତିବିଧି ଦୁର୍ବୃତ୍ତମାନେ ଟ୍ରାକ୍‌ କରୁଥିଲେ। ଦୁଇ ଆର୍କିଟେକ୍ଟ ବ୍ରହ୍ମପୁର ଉପକଣ୍ଠ ଲଉଡ଼ିଗାଁରେ ପହଞ୍ଚିବା ମାତ୍ରେ ସେମାନଙ୍କ ଆଖିରେ ଦୁର୍ବୃତ୍ତ ଲଙ୍କାଗୁଣ୍ଡ ‌ଫିଙ୍ଗି କାର୍‌ ସହ ଅପହରଣ କରି ନେଇଥିଲେ। ୩୦ ଲକ୍ଷ ଟଙ୍କା ଦାବିକରି ଦୁହିଁଙ୍କୁ ମୁଣ୍ଡ ଜାମିନ ରଖିଥିଲେ। ତେବେ, କୌଶଳକ୍ରମେ ଦୁହେଁ ଖସି ଆସିଥିବ‌ାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଦୁଇ ଆର୍କିଟେକ୍ଟ ହେଲେ, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ଦିବ୍ୟସ୍ମୃତି ସାହୁ ଓ ତାଙ୍କ ସାଙ୍ଗ ସେକ୍‌ ସେହେନବାଜ୍‌। ଗତ ୩ ତାରିଖରେ ନିଜର ହୋଣ୍ଡା ଭୋନା କାର୍‌(ଓଡି ୦୨ ପି ୪୫୭୭) ଯୋଗେ ଦୁହେଁ ଭୁବନେଶ୍ବରରୁ ବାହାରିଥିଲେ। ସନ୍ଧ୍ୟା ସମୟରେ ଗୋଳନ୍ଥରା ଥାନା ଅଧୀନ ଲଉଡିଗାଁ ରାସ୍ତାର ଷୋଳାବିନ୍ଧା ଛକରେ ପହଞ୍ଚିଥିଲେ। ସେହି ସମୟରେ ୫ ଜଣ ଯୁବକ ହଠାତ୍‌ କାରକୁ ଅଟକାଇ ଉଭୟଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ସେହି କାର୍‌ରେ ସେମାନଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଯୁବକମାନେ ରାତିତମାମ ଆସିକା, ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ସ୍ଥାନ ବୁଲାଇବା ସହ ୩୦ ଲକ୍ଷ ଟଙ୍କା ବଟି ଦେବାକୁ ସର୍ତ୍ତ ରଖିଥିଲେ। ଏହାସହ ଉଭୟଙ୍କ ନିକଟରେ ଥିବା ବିଭିନ୍ନ ଗୁରୁତ୍ୱ କାଗଜପତ୍ର ସମେତ ମୋବାଇଲ୍‌ ଫୋନ୍‌, ଆଇପଡ୍‌ ସହ ଏଟିଏମ୍‌ କାର୍ଡ଼ ଆଦି ସାମଗ୍ରୀ ନେଇ ଯାଇଥିଲେ। ଗତ ୪ ତାରିଖ ସକାଳରେ କାର୍‌ଟି ବ୍ରହ୍ମପୁର ଗେଟ୍‌ବଜାର ଅଞ୍ଚଳ ଦେଇ ଆଗକୁ ଯିବା ସମୟରେ କୌଶଳ କ୍ରମେ ଉଭୟେ କାର୍‌ରୁ ଖସି ଯିବାରେ ସକ୍ଷମ ହୋଇଥିଲେ। ଘଟଣା ପରେ ଗୋଳନ୍ଥରା ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ୪ ତାରିଖ ସନ୍ଧ୍ୟାରେ ଲୁଟ୍‌ କାର୍‌କୁ ବ୍ରହ୍ମପୁର ଉପକଣ୍ଠ ଅନ୍ଧପସରା ରୋଡ଼ରୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଦିବ୍ୟସ୍ମୃତି ଓ ସେହେ‌ନବାଜ୍‌ଙ୍କୁ ଆଇଜର୍‌ରୁ କିଏ ଫୋନ୍‌ କରିଥିଲା, ତାହା ମଧ୍ୟ ସଠିକ୍‌ ଭାବେ ଉଭୟେ ପୁଲିସ୍‌କୁ ସୂଚନା ଦେଇ ପାରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର