ରାଉରକେଲା/କୁଆରମୁଣ୍ଡା: ବ୍ୟବସାୟୀ ବସନ୍ତ ବଡାଇକ ହତ୍ୟା ଘଟଣାରେ ବୀରମିତ୍ରପୁର ପୁଲିସ ଡ୍ରାଇଭର ସମେତ ୨ ଜଣକୁ ଗିରଫ କରିଛି। ଗିରଫ ଦୁହେଁ ହେଲେ ମୃତ ବସନ୍ତଙ୍କ କାର୍‌ ଡ୍ରାଇଭର ଚିତ୍ତରଞ୍ଜନ ସିଂ (୩୩) ଓ ଅନ୍ୟ ଜଣେ ହାତୀବାରି ଥାନା ଅନ୍ତର୍ଗତ ଓହ୍ଲାଣିର ରାମ ସାହୁ (୩୫)। ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି। ବ୍ୟବସାୟିକ ଶତ୍ରୁତାରୁ ବସନ୍ତ ବଡାଇକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ି। ଫେରାର ଅନ୍ୟ ୪ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ହତ୍ୟାର ପ୍ରକୃତକାରଣ ଜଣାପଡ଼ିବ ବୋଲି ଶୁକ୍ରବାର ବୀମରିତ୍ରପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମ ସାହୁ ପୂର୍ବରୁ ବସନ୍ତ ବଡାଇକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ବସନ୍ତ ବଡାଇଙ୍କ ସହ ପୁଣି ସମ୍ପର୍କ ଯୋଡିଥିଲା। ପରେ ବ୍ୟବସାୟିକ ଶତ୍ରୁତା ବଢ଼ିବାରୁ ଏଭଳି ରାମ ସାହୁ ତା’ର ସହଯୋଗୀଙ୍କ ସହ ମିଶି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

Advertisment

ହାତୀବାରି ଥାନା ଅଞ୍ଚଳରେ ରହୁଥିବା ବସନ୍ତ ବଡାଇକ ଗୋରୁ ବ୍ୟବସାୟରେ ସାମିଲ ଥିଲେ। ସେହି ଅଞ୍ଚଳର ରାମ ସାହୁ ଓ ତା’ର ଅନ୍ୟ କିଛି ସହଯୋଗୀ ମଧ୍ୟ ଏହି ବ୍ୟବସାୟରେ ଥିଲେ। ଗୋରୁ ବ୍ୟବସାୟକୁ ନେଇ କୁଆଡେ ଉଭୟ ପକ୍ଷଙ୍କ ମଧ୍ୟରେ ଶତ୍ରୁତା ଥିଲା। ଗତବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାମ ସାହୁ ଏବଂ ଅନ୍ୟଜଣେ ବସନ୍ତଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ହୋଇଥିଲେ। ଜେଲ୍‌ରୁ ଆସିବା ପରେ ପୁଣି ବସନ୍ତଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ବସନ୍ତଙ୍କ ଡ୍ରାଇଭରକୁ ମଧ୍ୟ ହତ୍ୟାରେ ସାମିଲ କରିଯାଥିଲା। ଜୁଲାଇ ୨୯ ରାତିରେ ବସନ୍ତ ବଡାଇକ ଡ୍ରାଇଭର ସହ କାର୍‌ରେ ରାଉରକେଲାରୁ ହାତୀବାରି ଫେରୁଥିବା ବେଳେ କୁଆରମୁଣ୍ଡା- ହାତୀବାରି ରୋଡ଼ରେ ତାଙ୍କୁ କାର୍‌ରୁ ଟାଣି ନେଇ ହତ୍ୟା କରାଯାଇଥିଲା। ପୋଲ ନିକଟର ହତ୍ୟା କରିବା ପରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।