ଭୁବନେଶ୍ବର : ଆଚାର୍ଯ୍ୟବିହାରେ ଠାରେ ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଘଟଣାରେ ସହିଦନଗର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସାଇନ୍ସପାର୍କ ବସ୍ତିର ମନୋଜ ଦିଗଲ(୨୫) ଓ ବିଶ୍ବନାଥ ପ୍ରଧାନ(୨୮)। ଏନେଇ ପୁଲିସ କେସ୍‌ ନଂ-୪୭୮ରେ ଆଇପିସି ୧୪୩, ୧୪୭, ୧୪୮, ୩୩୨, ୩୫୩, ୨୯୪, ୩୨୩, ୩୩୭, ୫୦୬, ୧୪୯ଦଫା। ଦଙ୍ଗା ସୃଷ୍ଟିକରିବା, ଅସଦାଚରଣ, ଜୀବନରୁ ମାରିଦେବାକୁ ଧମକ ଭଳି ସଂଗୀନ ଦଫା ଲାଗାଇଛି।

Advertisment

ଗୁରୁବାର ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଚାର୍ଯ୍ୟବିହାର ବିକାଶ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା। ଯାହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଅଣ୍ଡା, ଟେକା ପଥରମାଡ଼ ହୋଇଥିଲା। ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ କର୍ମୀଙ୍କ ମଧ୍ୟରେ ଏଭଳି ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା। ସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠି ଚାର୍ଜ କରିଥିଲା। ଆକ୍ରମଣ ପ୍ରତ୍ୟାକ୍ରମଣ ଯୋଗୁଁ ଉଭୟ ଦଳର କର୍ମୀଙ୍କ ସମେତ ପୁଲିସ ବି ଆହତ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଥିଲା। ତେବେ ଶୁକ୍ରବାର ପୁଲିସ ମନୋଜ ଓ ବିଶ୍ବନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି କେତେକଙ୍କୁ ଅଟକ ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପୁଲିସ୍ କିଛି ପ୍ରତିକ୍ରିୟା ଦେଇ ନାହିଁ।