ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଓ ବ୍ରାହ୍ମଣୀଗାଁ ଅଧୀନ କାଟିଙ୍ଗା ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଳିକ (୪୦)ଙ୍କୁ ହତ୍ୟା କରି ପୋଡ଼ିବା ଘଟଣାର ରହସ୍ୟ ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହରେ ସୁଦାମଙ୍କୁ ତାଙ୍କ ନିଜ ପୁତୁରା ସୁମନ୍ତ ମଳିକ (୨୪) ଓ ସଂପର୍କୀୟ ଶାଳକ କୁଟ୍ରୁଶା ମଳିକ (୩୫) ହତ୍ୟା କରିଥିବା ତଦନ୍ତରୁ ପ୍ରମାଣିତ ହୋଇଛି। ଉଭୟଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠୁ ମାରଣାସ୍ତ୍ର ସମେତ ରକ୍ତଭିଜା କପଡ଼ା ଓ ଘଟଣାସ୍ଥଳରୁ ମୃତକ ସୁଦାମଙ୍କ ଦେହାବଶେଷ ଜବତ ହୋଇଛି। ଏନେଇ କେସ ନମ୍ବର ୭ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ରଂଜିତ କୁମାର ମୁନି ଓ ସେକେଣ୍ଡ ଅଫିସର ସଂଗ୍ରାମ କେଶରୀ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁଦାମ ଗୁଣିଗାରେଡ଼ି କରୁଛନ୍ତି ବୋଲି ତାଙ୍କ ପୁତୁରା ସୁମନ୍ତ ସବୁବେଳେ ସନ୍ଦେହ କରୁଥିଲା। ଏହାସହ ତାକୁ ସୁଦାମ ଗୁଣିଗାରେଡ଼ି କରି ମାରି କାଳେ ସବୁ ସଂପତ୍ତି ନେଇଯିବେ ବୋଲି ସେ ଆଶଙ୍କାରେ ଥିଲା। ଏଥିପାଇଁ ସେ ସୁଦାମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। କିଛିଦିନ ହେଲା ସୁଦାମ କୁଡ଼ୁପାଗାଡ଼ି କ୍ଷେତରେ ଏକୁଟିଆ ଏକ କୁଡ଼ିଆରେ ରହିଆସୁଥିଲେ। ଏହି ସୁଯୋଗକୁ ହାତଛଡ଼ା ନକରି ସୁମନ୍ତ ତାର ସଂପର୍କୀୟ ମାମୁଁ ତଥା ବଡ଼ଗଡ଼ ଥାନା କୁଟାମାହା ଗ୍ରାମର କୁଟ୍ରୁଶାଙ୍କ ସାହାଯ୍ୟ ନେଇଥିଲା। ଗତ ୩ ତାରିଖ ସନ୍ଧ୍ୟାରେ ସୁଦାମ କୁଡ଼ିଆରେ ଏକୁଟିଆ ରୋଷେଇ କରୁଥିବା ସମୟରେ ଏକ କଟୁରୀରେ ଉଭୟ ମିଶି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେଠାରୁ ଦେଢ଼ କିଲୋମିଟର ଦୂର ପାହାଡ଼ ପାଖ ଜଙ୍ଗଲକୁ ନେଇ ଶବକୁ ପୋଡ଼ିଦେଇଥିଲେ।
ଏହି ଘଟଣା ବିଷୟରେ ପରିବାରର ସଦସ୍ୟ ଜାଣିବା ପରେ ମଧ୍ୟ ହତ୍ୟାକାରୀଙ୍କ ଭୟରେ ଥାନାରେ ଅଭିଯୋଗ କରି ନଥିଲେ। ମୃତକ ସୁଦାମଙ୍କ ଭାଇ ପ୍ରତାପ ମଳିକ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଗତକାଲି ଫୁଲବାଣୀର ସାଇଣ୍ଟିଫିକ ଦଳ ଓ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ସୁମନ୍ତ ଓ କୁଟ୍ରୁଶାଙ୍କୁ ଉଠାଇ ଆଣି ଜେରା କରିବା ପରେ ଉଭୟ ସେମାନଙ୍କ ଦୋଷ ସ୍ବୀକାର କରିଥିଲେ। ଆଜି ସେମାନଙ୍କୁ ଗିରଫ କରାଯାଇଛି।
ସୂଚନା ଥାଉକି, ବ୍ରାହ୍ମଣୀଗାଁ ଅଧୀନ କୁଡ଼ିମାହା, ତୁହାରୁ, ସେପେରମାହା ଓ କୁଟାମାହା ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଏଭଳି ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ନଜିର୍ ରହିଛି। କନ୍ଧମାଳ-ଗଞ୍ଜାମ-ଗଜପତି ସୀମାନ୍ତରେ ଥିବା ଏସମସ୍ତ ଅଞ୍ଚଳ ଦୁର୍ଗମ ଇଲାକା ହୋଇଥିବାରୁ ଏଭଳି ଅପରାଧ ବହୁବାର ଘଟିଛି। ପୁଲିସ ସେଠାରେ ପହଞ୍ଚିପାରୁନି। ପୂର୍ବରୁ କାଟିଙ୍ଗାରେ ଫାଣ୍ଡି ସ୍ଥାପନ କରାଯାଇଥିଲା । ହେଲେ ମାଓବାଦୀଙ୍କ ହିଂସାକାଣ୍ଡ ପରେ ଏହାକୁ ବନ୍ଦ କରି ଦିଆଯାଇଛି।