କଟକ : ଭୁବନେଶ୍ବରର ଜଣେ ବିଲ୍ଡର୍ଙ୍କୁ କଟକରେ ୨୦ ଲକ୍ଷ ଟଙ୍କାର ବଟି ମାଗିବା ଘଟଣାରେ ମର୍କତନଗର ଥାନା ପୁଲିସ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ନନ୍ଦନକାନନ ବଡ଼ ବାଲିପଡ଼ା ଅଞ୍ଚଳର ଜିତେନ୍ଦ୍ର ପରିଡ଼ା(୩୨) ଓ କଟକ ସଦର ଥାନା କାଜିପାଟଣା ଅଞ୍ଚଳର ଗୋବିନ୍ଦ ସାହୁ(୩୮)। ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ୭.୬୫ ଏମଏମ ପିସ୍ତଲ, ଦୁଇ ରାଉଣ୍ତ କାଟ୍ରିଜ, ଗୋଟିଏ ହୋଣ୍ତା ଷ୍ଟନର୍ ବାଇକ ଓ ମୋବାଇଲ୍ ଫୋନ୍ ଜବତ କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ରହୁଥିବା ଯାଜପୁର ଧର୍ମଶାଳା ଅଞ୍ଚଳର ବିଲଡର୍ ଜ୍ଞାନ ପ୍ରକାଶ କର ଗଲା ୨୧ ତାରିଖ ରାତି ପ୍ରାୟ ୧୦ଟା ୩୦ରୁ ୧୧ଟା ଭିତରେ କାଠଯୋଡ଼ି ରିଙ୍ଗରୋଡ ରାସ୍ତାରେ ଗୁଣ୍ତିଚା ମନ୍ଦିର ଦେଇ ଯାଉଥିଲେ। ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପରିଡ଼ା ଓ ତାର ସହଯୋଗୀ ଗୋବିନ୍ଦ ସାହୁ ତାଙ୍କୁ ଅଟକାଇ ୨୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ମୁଣ୍ତରେ ବନ୍ଧୁକ ଲଗାଇ ହତ୍ୟା ଧମକ ବି ଦେଇଥିଲେ। ଗଲା ୬ ମାସ ହେବ ଜିତେନ୍ଦ୍ର ଏଭଳି କାଣ୍ତ କରି ବଟି ଆଦାୟ କରି ଆସୁଥିଲା। ବଟି ନଦେଲେ ଜୀବନରୁ ମାରିଦେବାକୁ ଜ୍ଞାନଙ୍କୁ ବିଭିନ୍ନ ସମୟରେ ଧମକ ଦେଇଥିଲା। ଏ ସ˚କ୍ରାନ୍ତରେ ଜ୍ଞାନ ମର୍କତନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଜିତେନ୍ଦ୍ର ବିରୋଧରେ ନନ୍ଦନକାନନ ଓ ଗୋବିନ୍ଦ ବିରୋଧରେ ସଦର ଥାନାରେ ପୂର୍ବରୁ ହତ୍ୟା, ଠକେଇ ଭଳି ସ˚ଗିନ ମାମଲା ଥିବା ସୂଚନା ମିଳିଛି।