ଜାଲ୍ ଜନ୍ମ ପ୍ରମାଣପତ୍ର ଦେଇ ବର୍ଷ ବର୍ଷ ଧରି ଆସିକା ଚିନିଶିଳ୍ପରେ ଚାକିରି କରିବା ଅଭିଯୋଗ‌ରେ ୨ ଗିରଫ

ଆସିକା : ଆସିକା ଚିନିଶିଳ୍ପରେ ଜାଲ୍ ଜନ୍ମ ପ୍ରମାଣପତ୍ର ଦେଇ ବର୍ଷ ବର୍ଷ ଧରି ଚାକିରି କରିବା ଅଭିଯୋଗ‌ରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ କର୍ମଚାରୀ ହେଲେ ଢୁଙ୍କୁଣୀ ଗ୍ରାମର ସନ୍ତୋଷ କୁମାର ଭଂଜ ଓ ସନ୍ଦିନୂଆପଲ୍ଲୀ ଗ୍ରାମର ଉପେନ୍ଦ୍ର ସିଅ। ସଂପାଦକ ଆର.ଚନ୍ଦ୍ରଶେଖର ରେଡ୍ଡୀଙ୍କ ଏତଲା କ୍ରମେ ଆସିକା ଥାନାରେ ହୋଇଥିବା କେସ୍ ନମ୍ବର ୮୯/୨୦ ଅନୁସାରେ ପୁଲିସ ଗିରଫ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରିଛି। ଚିନିଶିଳ୍ପରେ ୮ଜଣ କର୍ମଚାରୀ ଜାଲ୍ ଜନ୍ମ ପ୍ରମାଣପତ୍ର ଦେଇ କାର୍ଯ୍ୟ କରୁଥିବା ଭଳି ସଂଗିନ୍ ଅଭିଯୋଗ ସାମ୍ନାକୁ ଆସିଥିଲା। ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବାକୁ ସମବାୟ ବିଭାଗ ରେଜିଷ୍ଟ୍ରାର୍ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିପାରୁ ନଥିଲେ। ଏନେଇ ଗତ ୩ ତାରିଖରେ ‘ସମ୍ବାଦ‌’ରେ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଥିଲା। ନକଲି ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ଉକ୍ତ ୮ଜଣ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିବାକୁ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେ‌ହେରା ଚିନିଶିଳ୍ପର ସଂପାଦକଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଆଜି ୨ କର୍ମଚାରୀଙ୍କୁ ଗିରଫ କରିବା ସହ ଅନ୍ୟ ୬ ଜଣଙ୍କୁ ଖୋଜୁଥିବା ଜଣାପଡିଛି।

ସୂଚନା‌ଯୋଗ୍ୟ ଯେ, ଜାଲ୍ ଜନ୍ମତାରିଖ ପ୍ରମାଣପତ୍ର ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ନେଇ ମନମୋହନ ପାଢ଼ୀ, ସନ୍ତୋଷ କୁମାର ଭଞ୍ଜ, ପରଦେଶୀ କୁମାର ସ୍ବାଇଁ, ଯୁଧିଷ୍ଠିର ନାୟକ, ଉପେନ୍ଦ୍ର ସିୟ, ଜୟରାମ ଗୌଡ଼, ଆଦିକନ୍ଦ ସ୍ବାଇଁ ଓ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଗତ ୧୩ ତାରିଖରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଚିନିଶିଳ୍ପରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ କର୍ମଚାରୀଙ୍କ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ଦସ୍ତାବିଜ୍ ଯାଞ୍ଚ କରିଥିଲେ। ଚିନିଶିଳ୍ପରେ ଚାକିରି ଓ ଅବସର ନେଇ କୌଣସି ସରକାରୀ କଟକଣା ଏବଂ ନିୟମ କାର୍ଯ୍ୟ କରୁ ନଥିବାରୁ ଏହାର ସୁଯୋଗ ନେଇ ଅନେକ କର୍ମଚାରୀ ଜାଲ୍ ପ୍ରମାଣପତ୍ର ଦାଖଲ କରି ବର୍ଷ ବର୍ଷ ଧରି ରହିଛନ୍ତି। ଏପରିକି ସାନଭାଇ ଅବସର ନେଇ ସାରିଥିଲେ ସୁଦ୍ଧା ବଡ଼ ଭାଇର ଚାକିରି ଥିବା ନଜିର୍ ରହିଛି। ଜାଲ୍ ଜନ୍ମ ପ୍ରମାଣପତ୍ର ଦାଖଲ କରି ଏହି କର୍ମଚାରୀମାନେ ସେମାନଙ୍କ ସ୍ଥିତି ଜାହିର୍ କରନ୍ତି। ଏନେଇ ପରିଚାଳନା ପରିଷଦର ସଭାପତି ବିପିନ ବିହାରୀ ପାତ୍ର ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ରୁଜୁ କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସମବାୟ ବିଭାଗର ରେଜିଷ୍ଟ୍ରାର୍ ୮ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସହ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ‌ଦେଇଥିଲେ। ଆଉ ୬୬ଜଣ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର