ଚାକିରି କରାଇବା ନାଁରେ ଠକେଇ, ୨ ରେଳ କର୍ମଚାରୀ ଗିରଫ

ଜାଲ୍‌ ରେଳବାଇ ଲେଟର୍‌ପ୍ୟାଡ୍‌, ୬୦ ହଜାର ନଗଦ ଜବତ

କାଶୀନଗର : ରେଳ ବିଭାଗରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସ ୨ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ କର୍ମଚାରୀ ଦ୍ବୟ ହେଲେ ପାରଳାଖେମୁଣ୍ଡି ରେଲବାଇ ଷ୍ଟୋର୍‌ ଗାର୍ଡ଼ ଭାବେ କାର୍ଯ୍ୟରତ ଆନୁକୋଣ୍ଡ ଗ୍ରାମର କେ. ଲିମା ରାଜା କୁମାର (୩୦) ଓ ବିଶାଖାପାଟଣାସ୍ଥିତ ରେଳବାଇ ମେଡିକାଲରେ ଆଟେଣ୍ଡାଣ୍ଟ‌୍ ଭାବେ କାମ କରୁଥିବା କେ. ଲକ୍ଷ୍ମଣ ରାଓ (୫୧)।

ସୂଚନା ଅନୁସାରେ କିତିଙ୍କି ଗ୍ରାମର ଗୋପୀନାଥ ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ‌ରେଳବାଇରେ ଚାକିରି କରାଇଦେବା ନାମରେ ଅଭିଯୁକ୍ତ ଦ୍ବୟ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉଭୟ ରେଳବାଇ କର୍ମଚାରୀଙ୍କୁ ଗିରଫ କରିବା ପରେ ସେମାନେ ଠକେଇ କରିଥିବା ସ୍ବୀକାର କରିଥିଲେ। ପୁଲିସ ୨ ଅଭିଯୁକ୍ତଙ୍କ ଠାରୁ ଏକ ପଲସର୍ ବାଇକ୍ ସହ ମୋବାଇଲ୍, ନଗଦ ୬୦ ହଜାର ଟଙ୍କା ଜବତ କରିବା ସହିତ ରେଲବାଇର ଜାଲ୍‌ ଲେଟର୍‌ପ୍ୟାଡ଼୍‌ ଓ ବିଭିନ୍ନ ଲୋକଙ୍କ ପ୍ରମାଣପତ୍ର ମଧ୍ୟ ଜବତ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର