ଚାକିରି ଦେବା ନାଁରେ ଠକେଇ : ଅନ୍ତଃଜିଲ୍ଲା ରାକେଟ୍‌ର ଦୁଇ ଗିରଫ, ମୋବାଇଲ୍‌, ଆଇଡ଼ି କାର୍ଡ ଜବତ

ଠକିଥିଲେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଗଞ୍ଜାମ : ବେକାର ଯୁବକଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ଏଭଳି ଠକେଇ ଘଟଣା ପଛରେ ଏକ ରାକେଟ କାମ କରୁଛି। ଯାହାକି ବ୍ରହ୍ମପୁର ପୁଲିସର ତଦନ୍ତରୁ ସ୍ପଷ୍ଟ ହୋଇଛି। ବୈଦ୍ୟନାଥପୁର ଥାନା ପୁଲିସ ଏଭଳି ଏକ ଅନ୍ତଃଜିଲ୍ଲା ଠକ ରାକେଟ୍‌କୁ ଠାବ କରିଛି। ଏହି ଘଟଣାରେ ରାକେଟ୍‌ର ଦୁଇଜଣ ସଦସ୍ୟ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କଟିକଟା ଗ୍ରାମର ରବୀନ୍ଦ୍ର କୁମାର ବେହେରା (୩୯) ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୁଗୁରୁପଡାର ଅରୁଣ କୁମାର ବେହେରା(୪୦)ଙ୍କୁ ଗିରଫ କରାଯାଇଥିବା ନେଇ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଉଭୟ ଯୁବକ ପ୍ରାୟ ୫୦ ଜଣ ଯୁବକଯୁବତୀଙ୍କ ଠାରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାର ପ୍ରାୟ ୯ ଜଣଙ୍କ ଠାରୁ ୩୮ ଲକ୍ଷ ୨୦ ହଜାର ଟଙ୍କା ଠକେଇ କରିଥିବା ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏଭଳି ଠକେଇ ମାମଲା ବଢ଼ିବାର ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁସାରେ ରବୀନ୍ଦ୍ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଆର୍‌ଆଇଇ)ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଛନ୍ତି। ସେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ଠକେଇ କାମ ପାଇଁ ଅରୁଣକୁ ନିୟୋଜିତ କରିଥିଲେ । ବେକାର ଯୁବକଯୁବତୀମାନଙ୍କୁ ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଚାକିରି ପାଇଁ ସେମାନେ ବହୁ ଯୁବକଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଅସୁଲ କରିଥିଲେ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି କୃଷ୍ଣନଗରରରେ ରହୁଥିବା ଦୁର୍ଗାପ୍ରସାଦ ବେହେରା ଓ ଶୁଭଶ୍ରୀ ଶୁଭ୍ରସ୍ମିତା ବେହେରା ମଧ୍ୟ ଏହି ରାକେଟ୍‌ ଦ୍ୱାରା ଠକେଇର ଶିକାର ହୋଇଥିଲେ। ଟଙ୍କା ଦେବା ପରେ ସେମାନଙ୍କୁ କୌଣସି ଚାକିରି ମିଳିନଥିଲା। ଫଳରେ ତାଙ୍କର ମା’ ପୂର୍ଣ୍ଣିମା ବେହେରା ଏ ନେଇ ବୈଦ୍ରନାଥପୁର ଥାନାରେ ଅଭିଯୋଗ କରିଥିଲେ। ସେ ନେଇ ପୁଲିସ କେସ୍‌ ନମ୍ବର ୨୦/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ଉଭୟ ଠକଙ୍କୁ ଟ୍ରାକ୍‌ କରାଯାଇଥିଲା। ଏହି ରାକେଟ ଗତ ୨୦୧୮-୧୯ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଠକେଇ କରିଥିବା ନେଇ ଜଣାପଡିଥିବା ବେଳେ ଅନୁଗୁଳ, ପୁରୀ, ତାଳଚେର, ଯାଜପୁରରେ ମଧ୍ୟ ଏମାନଙ୍କର ଏଜେଣ୍ଟ ରହିଥିବା ଜଣାପଡିଥିଲା। ତେଣୁ ଗଞ୍ଜାମ ସମେତ ଅନ୍ୟ ଜିଲ୍ଲାର ଯୁବକଯୁବତୀଙ୍କ ଠାରୁ ଏମାନେ ଠକେଇ କରିଥିବା ସ୍ପଷ୍ଟ ହୋଇଛି। ପୁଲିସ ଅଚାନକ ରବୀନ୍ଦ୍ରର ଘରେ ଚଢ଼ଉ କରି ଯାଞ୍ଚ କରିଥିଲା। ଯାଞ୍ଚ ପରେ ବ୍ୟାଙ୍କ ପାସ୍‌ବୁକ, ଏଟିଏମ୍‌ କାର୍ଡ, ଆଇଡି କାର୍ଡ, ଟ୍ୟାବ୍, ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ଚେକ୍‌ ଏବଂ ଭୁବନେଶ୍ୱର ପଟିଆରେ ଜମି କିଣିବା ପାଇଁ ୨ କୋଟି ଟଙ୍କାର ଏକ ରାଜିନାମା ଦସ୍ତାବିଜ୍ ଜବତ କରିଥିଲା। ରବୀନ୍ଦ୍ରକୁ ଜେରା କରିବା ପରେ ପୁଲିସ ଅରୁଣକୁ ଗିରଫ କରିଥିଲା। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର