ବିନିକା : ବିନିକା ଥାନା ସେଲେଡି ଗ୍ରିଡ୍ ନିକଟସ୍ଥ ଜମବୁରାଇ ପାଖରେ ଗତ ୧୪ ତାରିଖରେ ହୋଇଥିବା ଲୁଟ୍ ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି।
ସୂଚନାନୁସାରେ ବିନିକା ଥାନା ସଂକର୍ମା ଗ୍ରାମର ମନୋରଂଜନ ନେଗି ୧୪ ତାରିଖ ରାତିରେ କାମ ସାରି ବିନିକାରୁ ଘରକୁ ଫେରୁଥିବା ସମୟରେ ସେଲେଡି ଗ୍ରିଡ୍ ନିକଟ ଜମବୁରାଇ ପାଖରେ ତିନି ଜଣ ଆସି ତାଙ୍କୁ ଅଟକାଇବା ସହ ତାଙ୍କଠାରୁ ୨ ହଜାର ଟଙ୍କା, ମୋବାଇଲ୍ ଓ ମଟରସାଇକଲ୍ ନେଇ ଫେରାର୍ ହୋଇଯାଇଥିଲେ। ଏ ନେଇ ଶ୍ରୀ ନେଗି ବିନିକା ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।
ବିନିକା ଥାନାର ଏସ୍ଆଇ ସୂର୍ଯ୍ୟକାନ୍ତ ସେଠୀ, ମହାଦେବପାଲି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ରଥ, ଏଏସ୍ଆଇ ଆଲୋକ ସାହୁ ପ୍ରମୁଖ ବରଗଡ଼ ବନ୍ଧପଡ଼ାର ସରୋଜ ନାଗ (୨୧)କୁ ଗିରଫ କରିଥିଲା। ପରେ ସରୋଜଠାରୁ ବାଇକ୍ କିଣିଥିବା ବାଞ୍ଜିଝୁପୁଡ଼ି ପଡ଼ାର ରୋହିତ ଦୀପ (୨୧) ଗିରଫ କରାଯିବା ସହ ଏକ ବାଇକ୍ ଜବତ କରାଯାଇଥିଲା। ଏଥିରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଆଜି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମହାଦେବପାଲି ଫାଣ୍ଡି ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି।