ବିବାହ ବେଳେ ସାମାଜିକ ଦୂରତ୍ୱ ସହ କୋଭିଡ ନିୟମର ଉଲ୍ଲଂଘନ ମାମଲା: ବର ଓ ବରର ବାପା ସମେତ ୫ ଗିରଫ, ହୋଟେଲ୍ ସିଲ୍

ବ୍ରହ୍ମପୁର: ବ୍ରହ୍ମପୁରର ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ବାହାଘରରେ କୋବିଡ଼ ନିୟମକୁ ଜଳାଞ୍ଜଳି ଦିଆଯାଇଥିବାର ଭିଡ଼ିଓ ଭାଇରଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପ୍ରସଙ୍ଗରେ ପୁଲିସ ପ୍ରଥମେ ବରର ବାପା କୃଷ୍ଣଚନ୍ଦ୍ର ସାହୁ ଓ ବଡ଼ ବାପା ଶିବରାମ ସାହୁଙ୍କୁ ଗିରଫ କରିଥିବା ବେଳେ ଏବେ ବର ଦୀପକ ସାହୁ ଓ ବରର ଦାଦା ବିନୋଦ ସାହୁ ଓ ସନ୍ତୋଷ ସାହୁଙ୍କୁ ମଧ୍ୟ ଗିରଫ କରିଛି। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥି ସହିତ ବିବାହସ୍ଥଳକୁ ମଧ୍ୟ ପ୍ରଶାସନ ସିଲ କରିଦେଇଛି। ଗୋପାଳପୁରର ହୋଟେଲ୍ ମେ ଫେୟାରକୁ ୭ ଦିନ ଲାଗି ସିଲ୍ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ଟୁଇଟ୍ କରି ସୂଚନା ଦେଇଛି।

ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ଟୁଇଟ୍‌ ଅନୁସାରେ ଏକ ଟିଭି ଚାନେଲରୁ ବିବାହ ଶୋଭାଯାତ୍ରା ସମୟରେ କୋଭିଡ୍‌ ନିୟମ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଉଭୟ ପକ୍ଷ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି। ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ିକୁ ଆରଟିଓ ଜବତ କରିଛନ୍ତି। ଏଥିସହ ଏହି ଟୁଇଟରେ ଜିଲ୍ଲାପାଳ ଜନସାଧାରଣଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିବା ସହ ନିଜ ଖୁସି ଲାଗି ଅନ୍ୟମାନଙ୍କ ଜୀବନକୁ ବିପଦରେ ନପକାଇବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ଏହି ବିବାହ ଉତ୍ସବ ଗୋପାଳପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା। ବରଯାତ୍ରୀମାନେ ବିନା ମାସ୍କରେ ସାମାଜିକ ଦୂରତ୍ୱ ନ ରଖି ଡିଜେ ଗୀତରେ ନାଚିଥିଲେ। ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସାଧାରଣତଃ ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁ ନଥିବା ବେଳେ ଏଠି ଏହି ହୋଟେଲ ଭିତରେ କରାଯାଉଥିବା ବିବାହରେ ସବୁ ନିୟମ ଭଙ୍ଗ ହୋଇଥିଲା। ଏକ ଛାତଖୋଲା କାରରେ ଯାଉଥିବା ବର ନାଚ କରୁଥିବା ବେଳେ ଡିଜେ ଶବ୍ଦରେ ଅଂଚଳ କମ୍ପିଥିଲା। ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ନ ଥିଲା। କରୋନା ସମୟରେ ଯେ କୌଣସି ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ସବୁ କୋଭିଡ଼ ନିୟମକୁ ମାନିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡା ନିୟମ ଥିବା ବେଳେ ଡିଜେ ଲଗାଇ ଡ୍ୟାନ୍‌ସ କରିବା, ଏତେ ମାତ୍ରାରେ ଲୋକଙ୍କୁ ଡାକି ସାମାଜିକ ଦୂରତା ଭାଙ୍ଗିବା, ବିନା ମାସ୍କରେ ଡ୍ୟାନ୍‌ସ କରିବା ପାଇଁ କିଏ ଅନୁମତି ଦେଲା ଏବେ ପ୍ରଶ୍ନ ଉଠିଛି। ସୋସିଆଲ ମିଡ଼ିଆରେ ଏହା ଭାଇରଲ ହେବା ପରେ ଲୋକେ ଜିଲା ପ୍ରଶାସନର କଡା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତ।

ସମ୍ବନ୍ଧିତ ଖବର