ରିଅଲ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ହତ୍ୟା ଘଟଣା: ଦୁଇ ଯୁବକ ଅଟକ, ପୁଲିସର ତନାଘନା

ସନ୍ଦେହ ଘେରରେ ସହଯୋଗୀ

ବାଲେଶ୍ବର/ରେମୁଣା : ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ବାଇପାସ୍ ନିକଟରେ ଗତକାଲି ସନ୍ଧ୍ୟାରେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ତଥା ସତ୍ୟମ ଡେଭଲପର୍ସ ମାଲିକ ରମେଶ ବେହେରା ଓରଫ୍‌ ନୁନୁଙ୍କ ହତ୍ୟା ଘଟଣା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଛି। ଗତକାଲି ରାତି ସାଢ଼େ ୧୨ଟାରେ ସୂଚନା ପାଇ ରେମୁଣା ଏବଂ ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦାରପୁର ଗାଁରୁ ୨ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ଗତକାଲି ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ନୁନୁଙ୍କ ପରିବାର ଲୋକେ ଜଣାଇଥିଲେ। ଏହାପରେ ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ରମେଶଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ରମେଶ ରେମୁଣା ଅଞ୍ଚଳରେ ରିଅଲ ଇଷ୍ଟେଟ ବ୍ୟବସାୟୀ ଭାବେ ବେଶ୍‌ ଜଣାଶୁଣା ଥିଲେ। ଗତ ୧୫ବର୍ଷ ହେଲା ସେ ଏହି କାରବାର କରି ଆସୁଥିବାବେଳେ ଗତ ୪/୫ ବର୍ଷ ହେବ ବ୍ୟବସାୟରେ ବେଶ୍ ଉନ୍ନତି କରିଥିଲେ। ଏପରିକି ରେମୁଣା ଗୋଲେଇ ଜାନୁଗଞ୍ଜ ନିକଟରେ ରମେଶ ନିଜର ଏକ ଅଟ୍ଟାଳିକା ସଦୃଶ ଘର ତିଆରି କରିବା ସହ ସତ୍ୟମ ଡେଭଲପର୍ସ ନାଁରେ ଏକ ଜମି କିଣାବିକା ସଂସ୍ଥା ଖୋଲିଥିଲେ। ଏହି କାରଣରୁ କିଛି ଲୋକ ତାଙ୍କ ଉପରେ ଈର୍ଷାନ୍ବିତ ହୋଇ ଶତ୍ରୁତା କରୁଥିଲେ। ସେପଟେ ତାଙ୍କ ବଡ଼ଭାଇ ଉମେଶ ଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ, ରେମୁଣା ଅଞ୍ଚଳରେ ଏବେ ଜମିର ଚାହିଦା ଅଧିକ ରହିବା ସହ ଦିନକୁ ଦିନ ମୂଲ୍ୟ ବଢ଼ି ଚାଲିଛି। ତେଣୁ ଅଞ୍ଚଳରେ ଅନେକ ଜମି ମାଫିଆ ସେମାନଙ୍କ ପତିଆରା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି। ତାଙ୍କ ଭାଇ ଜଣେ ପ୍ରତିଷ୍ଠିତ ଜମି ବ୍ୟବସାୟୀ ହୋଇଥିବାରୁ କିଛି ଲୋକଙ୍କ ସହ ତାଙ୍କର ବାଦବିବାଦ ରହିଥିଲା। ତେଣୁ ସଂଧ୍ୟା ହେଲେ ସେ ଏକୁଟିଆ ବାହାରକୁ ବାହାରୁ ନଥିଲେ। ସତ୍ୟମ ଡେଭେଲପର୍ସ ଅଫିସରେ ସେ ୧୦ ଜଣ କର୍ମଚାରୀଙ୍କୁ ସେ ନିଯୁକ୍ତି ଦେଇଥିବା ବେଳେ ଗତକାଲି ୬ଜଣ କର୍ମଚାରୀ ଅଫିସ୍‌ରେ ଉପସ୍ଥିତ ଥିଲେ। ଏହି ସମୟରେ ହଠାତ୍‌ ରମେଶ ଉଠି କୁଆଡ଼େ ଚାଲିଯାଇଥିବା ବେଳେ କିଛି ସମୟ ପରେ ତାଙ୍କ ହତ୍ୟା ଖବର ଆସିଥିଲା। ତେଣୁ ଘଟଣାରେ ତାଙ୍କ ସହ ସମ୍ପର୍କିତ କିମ୍ବା ପରିଚିତ ବ୍ୟକ୍ତି ସମ୍ପୃକ୍ତ ଥାଇ ପାରନ୍ତି ବୋଲି ଉମେଶ କହିଛନ୍ତି। ପୁଲିସ ସେ ଦିଗରେ ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଗତକାଲି ରାତିରେ ଏ ନେଇ ଉମେଶ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୩୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେପେଟ ଶିଳ୍ପାଞ୍ଚଳ ଥାନା ଅଧିକାରୀ ମୀନତି ବିଶ୍ବାଳ କହିଛନ୍ତି ଯେ, ଅଭିଯୋଗ ଆଧାରରରେ ଗତକାଲି ବିଳମ୍ବିତ ରାତିରେ ରେମୁଣା ଥାନା ଅଞ୍ଚଳରୁ ୨ଜଣ ଯୁବକଙ୍କୁ ଆଣି ଅଟକ ରଖାଯାଇଛି। ଏଥିସହିତ ରମେଶଙ୍କ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ମୋବାଇଲକୁ ଗତକାଲି ଆସିଥିବା କଲ ରେକର୍ଡ ମଧ୍ୟ ଯାଞ୍ଚ୍‌ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର