ବଲାଙ୍ଗୀର : ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଗ୍ରାହକଙ୍କ ଏଟିଏମ୍ କାର୍ଡ ଚୋରି କରି ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ। ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ ବୋଲି ପ୍ରଥମରୁ ପୁଲିସ ସନ୍ଦେହ କରିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ବି ଏହା ଜାଣିସାରିଥିଲେ। ତାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ତେବେ ପୁଲିସ ଅଧିକ ପ୍ରମାଣ ଖୋଜିବାରେ ଲାଗିଥିଲା। ଯଥେଷ୍ଟ ପ୍ରମାଣ ସଂଗ୍ରହ ପରେ ଏବେ ପୁଲିସ ସଂପୃକ୍ତ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ(୩୪) ଓ ତାଙ୍କ ସହଯୋଗୀ ସ୍ୱାଗତ ମିଶ୍ର(୨୪)ଙ୍କୁ ଗିରଫ କରିଛି। ନୀଳମଣି ରୋଏକ୍ସ ସିକ୍ୟୁରିଟି ଆଣ୍ଡ ମେଣ୍ଟେନାନ୍ସ କମ୍ପାନି ତରଫରୁ ବ୍ୟାଙ୍କରେ କିଛି ଦିନ ଡାଟା ଏଣ୍ଟ୍ରି ଅପରେଟର ଥିଲେ। ସ୍ବାଗତ ତାଙ୍କଠାରୁ କଂପ୍ୟୁଟର ଶିଖୁଥିଲେ। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ବଲାଙ୍ଗୀର ଏସ୍ପି ମଡ଼କର ସନ୍ଦୀପ ସମ୍ପତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି ଯେ, ଗତ ଅକ୍ଟୋବର ୪ ତାରିଖରେ ବିଡିସିସି ବ୍ୟାଙ୍କ ଶାଖା ପରିଚାଳକ ଜୋତ୍ସ୍ନାମୟୀ ପ୍ରଧାନ ଟାଉନ ଥାନାରେ ଏକ ଏତଲା ଦେଇଥିଲେ। ଦୁଇ ଜଣ ଗ୍ରାହକଙ୍କ ଅଜାଣତରେ କେହି ସେମାନଙ୍କ ଏଟିଏମ୍ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଆକାଉଣ୍ଟରୁ ଉଠାଇଥିବା ସେ ଦର୍ଶାଇଥିଲେ। ଅନ୍ୟପଟେ ସେହି ଗ୍ରାହକମାନେ ବ୍ୟାଙ୍କରୁ ଏଟିଏମ୍ କାର୍ଡ ନେଇ ନଥିବାରୁ ବ୍ୟାଙ୍କର କର୍ମଚାରୀ ହିଁ ଏଥିରେ ସଂପୃକ୍ତ ଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଟାଉନ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ବଲାଙ୍ଗୀର ଏସ୍ପିଙ୍କ ତତ୍ତ୍ୱାବଧାନରେ ଏସ୍ଡିପିଓ ଶ୍ରୀମନ୍ତ ବାରିକ, ଇନ୍ସପେକ୍ଟର କେ.ଏଲ. ବେହେରା ତଦନ୍ତ ଦାୟିତ୍ୱ ନେଇଥିଲେ।
ତଦନ୍ତ ସମୟରେ ଅନେକ କଥା ସାମ୍ନାକୁ ଆସିଥିଲା। ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ୨୦୧୬ ମସିହାରେ ୭୧୫୩ ଏଟିଏମ୍ କାର୍ଡ ଇସ୍ୟୁ ପାଇଁ ଆସିଥିଲା। ସେଥିମଧ୍ୟରୁ ୭୮୨ଟି ଏଟିଏମ୍ କାର୍ଡ ଗ୍ରାହକମାନଙ୍କୁ ଦିଆଯାଇଦଥିଲା। ଶାଖା ପରିଚାଳକଙ୍କ ନିର୍ଦେଶକ୍ରମେ ଗତ ଜୁନ ମାସରେ ଏଟିଏମ୍ କାର୍ଡ ଓ ପାସ୍ୱାର୍ଡ ଥିବା ଲଫାପା ଗ୍ରାହକମାନଙ୍କୁ ବଣ୍ଟନ କରିବାକୁ ରହିଥିଲା। ଏ ସବୁତକ ଏଟିଏମ୍ କାର୍ଡ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀଙ୍କ ଟେବୁଲରେ ରହିଥିଲା। ସେଥିମଧ୍ୟରୁ ଗୋଟିଏ ବିଡ଼ା ଏଟିଏମ୍ କାର୍ଡ ଓ ପାସୱାର୍ଡ ଲଫାପା ସେ ଚୋରି କରି ନେଇ ଯାଇଥିଲେ। ଗ୍ରାହକଙ୍କ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ। ଏଟିଏମ୍ କାର୍ଡ ନେବା ପରେ ଚାକିରୀ ହରାଇଥିଲେ। ଆଉ ଡ୍ୟୁଟିକୁ ଆସି ନଥିଲେ। ପରେ ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ସ୍ୱାଗତ ମିଶ୍ରଙ୍କ ସହଯୋଗ ନେଇଥିଲେ। ସ୍ବାଗତ ତାଙ୍କଠାରୁ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ। ବ୍ୟାଙ୍କରେ ବହୁ ମାସ କାମ କରିଥିବାରୁ ଯେଭଳି ଧରାନପଡ଼ିବେ ସେଥିପାଇଁ ନୀଳମଣି ସ୍ୱାଗତଙ୍କୁ ହେଲମେଟ୍, ନୀଳ ଚଷମା, ଜାକେଟ୍, ରେନ୍କୋଟ ଇତ୍ୟାଦି ପିନ୍ଧି ଏଟିଏମ୍ରୁ ଟଙ୍କା ଉଠାଇବାକୁ ପରାମର୍ଶ ଦେଇଥିଲେ। ସେହିକ୍ରମରେ ସ୍ୱାଗତ ୧୨ ଜଣ ଗ୍ରାହକଙ୍କ ୮ଲକ୍ଷ ୩୧ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ରାଜେନ୍ଦ୍ର କଲେଜ ଛକ, ଠିକାଦାରପଡ଼ା ଏସବିଆଇ, ମିସନ କମ୍ପାଉଣ୍ଡ, ବିଜୟା ବ୍ୟାଙ୍କ ଏଟିଏମରୁ ଉଠାଣ କରିଥିଲେ। ସ୍ୱାଗତଙ୍କୁ ନୀଳମଣି ଏଥିରୁ ୧ଲକ୍ଷ ୮୦ହଜାର ଟଙ୍କା ଦେଇଥିଲେ। ଗତ ସେପ୍ଟେମ୍ବର ୨୫ ତାରିଖରେ ଜନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସେମାନେ ଚୋରି ଟଙ୍କା ଜମା ରଖିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ସ୍ୱାଗତ ଏଟିଏମ୍ରୁ ଟଙ୍କା ଉଠାଇବା ସମୟରେ ବ୍ୟବହାର ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ, ହେଲମେଟ୍ ଇତ୍ୟାଦି ପୁଲିସ ଜବତ କରିଛି। ଏହାସହ ଜନ ବ୍ୟାଙ୍କର କାଗଜପତ୍ର ସହ ନୀଳମଣିଙ୍କ ବିଭିନ୍ନ ବ୍ୟାଙ୍କ ପାସବୁକ ପୁଲିସ ଜବତ କରିଛି। ୪ ଲକ୍ଷରୁ ଅଧିକ ଟଙ୍କା ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ବାହାରିଛି। ଆଗକୁ ସବୁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଟଙ୍କା ସବୁକୁ ଜବତ କରାଯାଇ ଯେଉଁ ଗ୍ରାହକଙ୍କ ଟଙ୍କା ଚୋରି ହୋଇଛି ସେମାନଙ୍କୁ ଫେରାଇଯିବାର ବ୍ୟବସ୍ଥା କରାଯିବ ବୋଲି ଏସ୍ପି ଶ୍ରୀ ସମ୍ପତ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏଏସପି ସୁବାସ ଚନ୍ଦ୍ର ଜମାଦାର, ଏସଡିପିଓ ଶ୍ରୀମନ୍ତ ବାରିକ ଉପସ୍ଥିତ ଥିଲେ।