ସୁନ୍ଦରଗଡ଼: ୯ କୁଇଣ୍ଟାଲ୍‌ ଗୁଟଖା ସାମଗ୍ରୀ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୨ ଗିରଫ

ମୋବାଇଲ ଓ ୧୦ଟି ରୂପା ମୁଦ୍ରା ଜବତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ କରି ୯ କୁଇଣ୍ଟାଲ ଗୁଟଖା ସାମଗ୍ରୀ, ୫ଲକ୍ଷ ୮୧ ହଜାର ନଗଦ ଟଙ୍କା, ୧୦ଟି ରୂପା ମୁଦ୍ରା ଓ ଗୋଟିଏ ମୋବାଇଲ ଜବତ କରିବା ସହିତ ଘଟଣାରେ ସଂପୃକ୍ତ ୨ଜଣ ବ୍ୟକ୍ତିକୁ ଗିରଫ କରିଛି। କଟକରୁ ରାଜଗାଙ୍ଗପୁର ବେଆଇନ୍‌ ଗୁଟଖା ଚାଲାଣ ହେଉଥିବା ନେଇ ସୁନ୍ଦରଗଡ଼ ଏସ୍‌ପିଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ ଓ ଆଇଆଇସି ପ୍ରଦୀପ କୁମାର ଜେନା ପୁଲିସ ଟିମ୍‌ ଗୁଟଖା ଚାଲାଣ ହେଉଥିବା ଭେନ୍‌ର ଅନୁସନ୍ଧାନ କରୁଥିଲେ। ସେଥିପାଇଁ ସେମାନେ ସମ୍ବଲପୁର-ରାଜଗାଙ୍ଗପୁର ରାଜ୍ୟ ରାଜପଥ ୧୦ ନମ୍ବରସ୍ଥିତ ଜାମପାଲିରେ ଜଗିଥିଲେ।

ବିଳମ୍ବିତ ରାତିରେ ଭେନ୍‌ଟି ଜାମପାଲିରେ ପହଞ୍ଚିବା ପରେ ପୁଲିସ ଯାଞ୍ଚ ପାଇଁ ଅଟକାଇଥିଲା। ତଦନ୍ତ ବେଳେ ଗୁଟଖା, ରୁପା ମୁଦ୍ରା, ନଗଦ ଟଙ୍କା ଓ ମୋବାଇଲ ମିଳିଥିଲା। ପୁଲିସ ଚୋରା ଚାଲାଣ ଘଟଣାରେ ଭେନ୍‌ ଡ୍ରାଇଭର ସୁଧାଂଶୁ ସେଠୀ ଓ ମାଲିକ ଦିପକ ଅଗ୍ରଓ୍ଵାଲକୁ ଗିରଫ କରିଛି। କଟକ ଜିଲ୍ଲା ଜଗତପୁର ଅଞ୍ଚଳର ହେଉଛନ୍ତି ସୁଧାଂଶୁ। ରାଜଗାଙ୍ଗପୁର ଅନ୍ତର୍ଗତ ବଗିଚାପଡ଼ାରେ ରୁହନ୍ତି ଦିପକ ଅଗ୍ରଓ୍ଵାଲ। ଚୋରା ଗୁଟଖା ଚାଲାଣ ଅଭିଯୋଗରେ ୪ ବର୍ଷ ତଳେ ଦିପକଙ୍କୁ ଜରିମାନା ହୋଇଥିଲା କିନ୍ତୁ ପୁଲିସ ଥାନାରେ ସେତେବେଳେ ମାମଲା ରୁଜୁ ହୋଇ ନ ଥିଲା।

ସମ୍ବନ୍ଧିତ ଖବର