୧୫୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଯୁବକ ଗିରଫ

ଧଉଳି: ଚୋରା ବ୍ରାଉନସୁଗାର କାରବାର ମାମଲାରେ ଆଜି ଭୁବନେଶ୍ବର ଅବକାରୀ ବିଭାଗ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ଜଗବନ୍ଧୁ ବୈଠାରୁ (୨୬) ଏବଂ ସଂଜୟ କୁମାର ସାହୁ (୨୫) । ଘଟଣାସ୍ଥଳରୁ ଜଗବନ୍ଧୁ ଓ ସଂଜୟ ଠାରୁ ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ଏଥିସହିତ ବ୍ରାଉନସୁଗାର କାରବାର ଘଟଣା‌ରେ ବ୍ୟବହୃତ ଉକ୍ତ ବାଇକଟିକୁ ମଧ୍ୟ ଜବତ କରିଛନ୍ତି । ତେବେ ଜାମିନ ଆବେଦନ ନାଂମଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ସୁପରିଟେଣ୍ଡେଣ୍ଟ ରାମଚନ୍ଦ୍ର ମିଶ୍ରଙ୍କ ସୂଚନାକ୍ରମେ ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ କୁମାର ନାୟକଙ୍କ ତତ୍ବାବଧାନରେ ଓଆଇସି ନାରାୟଣ ଜେନାଙ୍କ ସମେତ ୮ ଜଣିଆ ଟିମ ଆଜି ଭୋର ସମୟରେ ସେମାନଙ୍କୁ ପିଛା କରିଥିଲେ । ଧଉଳି ଛକ ନିକଟରେ ଜଗବନ୍ଧୁ ଓ ସଂଜୟଙ୍କୁ କାବୁ କରି ନେଇଥିଲେ ।

ଜଗବନ୍ଧୁ ଏବଂ ସଂଜୟ ଦୁହେଁ ‌ଅଭ୍ୟାସଗତ ନିଶା ବ୍ୟବସାୟୀ । ଦୁହେଁ ରୀତିମତ ଭାବେ ବାଲିଅନ୍ତା ଥାନା ଓ ଧଉଳି ଥାନା ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥାନ୍ତି । ଆଜି ଭୋର ସମୟରେ ଧଉଳି ଛକ ଓ ବାଳକାଟି ଭାର୍ଗବୀ ବ୍ରିଜ ନିକଟରେ ଅପେକ୍ଷା କରିଥିବା ବ୍ୟବସାୟୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଜବତ ବ୍ରାଉନସୁଗାର ନେଇ ଯାଉଥିଲେ । ହେଲେ ଏସଂପର୍କରେ ଖବର ପାଇ ଅବକାରୀ ଟିମ ଆଜି ସେମାନଙ୍କୁ ପିଛା କରି ଧଉଳି ଛକରେ କାବୁ କରିନେଇଥିଲେ  । ଜଗବନ୍ଧୁ ସଂଜୟ ନାମରେ ପିପିଲି ଥାନାରେ ଏସଂପର୍କିତ ମାମଲା ରହିଥିବା ଶ୍ରୀ ନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର