ରାଉରକେଲା: ସୁନାଗହଣା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ଲୁଟ୍‌ର ଷଡ଼ଯନ୍ତ୍ରକାରୀ ଦୁଇଭାଇକୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାସନ୍ତୀକଲୋନି ଏଫ୍‌ସିଇ -୧୩୨ର ଅଭିରାଜ ସୋନି ଓରଫ ପ୍ରିନ୍ସ (୨୬), ଆୟୁଶ ରାଜ ପ୍ରସାଦ (୨୩)। ଏମାନଙ୍କ ନିକଟରୁ ପୁଲିସ ୩୯୪ ଗ୍ରାମ ୨୩୦ ମିଲିଗ୍ରାମ୍‌ର ୫୧ଟି ସୁନା ଚେନ୍‌, ୩୭ ଗ୍ରାମ୍‌ ୫୧୦ ମିଲିଗ୍ରାମ୍‌ର ୨୦ଟି ସୁନା ମୁଦି, ୮୧ ଗ୍ରାମ୍‌ ୫୦ ମିଲିଗ୍ରାମ୍‌ର ତରଳାଯାଇଥିବା ସୁନା ଏମିତି ମୋଟ ୫୧୨ଗ୍ରାମ୍‌ ୭୯୦ ମିଲିଗ୍ରାମ୍‌ ସୁନା ଗହଣା ଜବତ କରିଛି। ଗିରଫ ଦୁଇ ଭାଇଙ୍କ ଅନ୍ୟ ଦୁଇ ସହଯୋଗୀ ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଚିହ୍ନଟ କରିସାରିଛି। ଖୁବ୍‌ ଶୀଘ୍ର ଦୁହେଁ ଗିରଫ ହେବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ଅନୀଲ ପ୍ରଧାନ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବାସନ୍ତୀକଲୋନି ଏଫ୍‌ଏଲ୍‌/୩୩ରେ ପି.ସି. ଜଏଲର୍ସର ମାଲିକ ଶମ୍ଭୁ କୁମାର ସାହୁ ରହନ୍ତି। ତାଙ୍କର ରାଉରକେଲା ମୁଖ୍ୟମାର୍ଗସ୍ଥ ଭୁଥନାଥ କମ୍ପ୍ଲେକ୍ସରେ ସୁନା ଗହଣା ଦୋକାନ ରହିଛି। ତାଙ୍କ ଦୋକାନରେ ପ୍ରଦୀପ ସୋନି ଗତ ଦେଢ଼ବର୍ଷ ଧରି କାମ କରୁଥିଲେ। ଗତ ୧୨ ତାରିଖରେ ମାଲିକ ଶମ୍ଭୁ ସାହୁ ପ୍ରଦୀପକୁ ସୁନା ଗହଣା କିଣିବାକୁ କୋଲକାତା ପଠାଇଥିଲେ।

Advertisment

ସୁନାଗହଣା ମରାମତି କାମ କରୁଥିବାରୁ ପ୍ରିନ୍ସ ମଧ୍ୟ ସୁନା କିଣିବାକୁ ପ୍ରଦୀପ ସହ କୋଲକାତା ଯାଇଥିଲେ। ଦୁହେଁ ରାଉରକେଲାର ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥରେ ସ୍କୁଟି ରଖି କୋଲକତା ଯାଇଥିଲେ। ପ୍ରଦୀପ କୋଲକାତାରୁ ୮୫୬ ଗ୍ରାମ୍‌ ୮୮୦ ମିଲିଗ୍ରାମ ସୁନା କଣିଥିଲେ। ପ୍ରିନ୍ସ ମଧ୍ୟ କିଛି ସୁନା କିଣିଥିଲେ। ଦୁହେଁ ସୁନାଗହଣା କିଣିବା ପରେ ଗତ ୧୪ ତାରିଖ ରାତିରେ କୋଲକାତାରୁ ଆଜାଦହିନ୍ଦ୍‌ ଏକ୍ସପ୍ରେସ୍‌ରେ ରାଉରକେଲା ବାହାରିଥିଲେ। ପ୍ରଦୀପ କିଣିଥିବା ସମସ୍ତ ସୁନାଗହଣାକୁ ‌ଲୁଟ୍‌ କରିନେବାକୁ ଆୟୁଶ ତା’ର ଭାଇ ପ୍ରିନ୍ସକୁ ଲୋଭ ଦେଖାଇଥିଲା। ଲୋଭରେ ବଶବର୍ତ୍ତୀ ହୋଇ ପ୍ରିନ୍ସ ତା’ର ଭାଇ ଆୟୁଶକୁ କେତେବେଳେ ରାଉରକେଲାରେ ପହଞ୍ଚିବେ ? ଷ୍ଟେସନର କେଉଁ ଗେଟ୍‌ ଦେଇ ବାସନ୍ତୀକଲୋନି ଯିବେ ? ଏ ସମସ୍ତ କଥା କହିଥିଲେ।

ପ୍ରିନ୍ସ ପାଖରୁ ସମସ୍ତ ତଥ୍ୟ ପାଇବା ପରେ ଆୟୁଶ ଭଡ଼ାରେ ଦୁଇ ଲୁଟେରା ଠିକ୍‌ କରିଥିଲେ। ଯୋଜନା ମୁତାବକ ଆୟୁଶ ଦୁଇଜଣ ଲୁଟେରାଙ୍କ ସହ ଗତ ୧୫ ତାରିଖ ଭୋର ପ୍ରାୟ ସାଢ଼େ ୪ଟାରେ ରାଉରକେଲା ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥରେ ପ୍ରଦୀପ ଓ ଭାଇ ପ୍ରିନ୍ସକୁ ଅପେକ୍ଷା କରିଥିଲେ। ପ୍ରଦୀପ ଓ ପ୍ରିନ୍ସ ଭୋର ପ୍ରାୟ ୫ଟାରେ ଆଜାଦ ହିନ୍ଦ୍‌ ଟ୍ରେନରୁ ଓହ୍ଲାଇବା ପରେ ସ୍କୁଟିରେ ବାସନ୍ତୀକଲୋନି ବାହାରିଥିଲେ। ଆୟୁଶ ଓ ଅନ୍ୟ ଦୁଇ ଲୁଟେରା ପିଛା କରିଥିଲେ। ମଧୁସୂଦନପାଲୀ କାଳୀମନ୍ଦିର ନିକଟରେ ସ୍କୁଟିକୁ ଅଟକାଇଥିଲେ। ଦୁଇ ଲୁଟେରା ପ୍ରଦୀପଙ୍କୁ ଛୁରା ମାରି ସମସ୍ତ ସୁନାଗହଣା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୁଟ୍‌ ସମ୍ପର୍କରେ ପ୍ରିନ୍ସ ସବୁ ଜାଣିଥିଲେ ହେଁ, ଘଟଣାସ୍ଥଳରେ କିଛି ନ ଜାଣିଲାପରି ଅଭିନୟ କରି ଚୁପ୍‌ ରହିଥିଲେ। ଅନ୍ୟପଟେ ସୁନାଦୋକାନୀ ଶମ୍ଭୁନାଥ ସାହୁ ଆଜି ପର୍ଯ୍ୟନ୍ତ କେତେ ସୁନାଗହଣା କିଣାଯାଇଛି, ତା’ର ବିଲ୍‌ ଥାନାରେ ଜମା କରି ନଥିବାରୁ ପୁଲିସର ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ତା’ର ମଧ୍ୟ ଯାଞ୍ଚ କରୁଛି।