କାମାକ୍ଷାନଗର: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା କନ୍ତିଓପୁଟସାହି ଗ୍ରାମର ନିର ଓରଫ ନିରାକାର ସାହୁ ହତ୍ୟା ଘଟଣାରେ ପୁଲିସ ସୁପାରୀ କିଲର ସମେତ ୨ ଜଣଙ୍କୁ ଗିରଫ କରିଛି। ଘଟଣା ଦିନ ଗୁଳିବିଦ୍ଧ  ମୃତଦେହ ଗତ ସେପ୍ଟେମ୍ବର ୨୮ ତାରିଖ ସକାଳୁ ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ ସଉରିଆ ଆମ୍ବ ତୋଟା ନିଟକରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଜାନକୀ ସାହୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment

ପ୍ରକାଶ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ବାରୁଆ (କା) ସମିତି ସଭ୍ୟ ଦୀପକଙ୍କୁ ସହଯୋଗୀଙ୍କ ସହ ମିଶି ନିରାକାର ହତ୍ୟା କରିଥିବା ତୁମୁସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ତୁମୁସିଙ୍ଗା ଥାନା କେଶ ନମ୍ବର ୧୩୧/୨୧ ରେ ନିରାକାର ମୁଖ୍ୟ ଅଭିଯୁକ୍ତ ଥିଲା। ନିରାକାର ଦୀପକଙ୍କୁ ହତ୍ୟା କରିଥିବାରୁ ତାକୁ ଦୀପକଙ୍କ ପୁଅ ମିକି ଓରଫ ଦିବ୍ୟଦର୍ଶନ ମାହୁନ୍ତ (୨୩) ସହଯୋଗୀମାନଙ୍କୁ ନେଇ ହତ୍ୟା କରିଥିବା ସନ୍ଦେହ କରି ମୃତ ନିରଙ୍କ ପତ୍ନୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ଆସାମୀଙ୍କ ପ୍ରତି ନଜର ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ୨୫ ତାରିଖ ରାତିରେ ଦିବ୍ୟଦର୍ଶନ ଗାଁକୁ ଆସୁଥିବା ଜାଣିପାରି ପୁଲିସ ତାକୁ ଚଢ଼ଉ କରି ଗିରଫ କରିବାରେ ସକ୍ଷମ ହୋଇଥିଲା। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ୧ ଲକ୍ଷଟଙ୍କା ସୁପାରୀ ଦେଇ ସେ ନିରକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା।

ଘଟଣାର ପରଦା ଆଢୁଆଳରେ ରହି ଘଟଣା ଦିନ ସେ ତିରୁପତି ପଳାଇ ଯାଇଥିଲା। ପୁଲିସ ଆଗରେ ସେ ସୁପାରୀ ସଂମ୍ପର୍କରେ ଓ ଅନ୍ୟ ସହଯୋଗୀଙ୍କ ନାମ ପ୍ରକାଶ କରିଥିବା ବେଳେ ତଦନ୍ତ ଚାଲୁ ରହିଥିବାରୁ ଅବଶିଷ୍ଟଙ୍କ ନାମ ପୁଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରି ନଥିଲା ।୨୬ ତାରିଖ ଦିନ ଦିବ୍ୟଦର୍ଶନଙ୍କୁ କୋର୍ଟ ଚାଲାଣ କରିଥିଲେ। ମାତ୍ର ଘଟଣାର ସୁପାରି କିଲର ରାଧେ ଓରଫ ପାଣ ଓରଫ ରାକେଶ ନାଥ ଓ ସହଯୋଗୀ ରୂପା ଓରଫ ତଳ ଓରଫ ଦେବ ବ୍ରଜକୁ ରବିବାର ରାତିରେ ମୟୂରଭଞ୍ଜର ବାଦାମପାହାଡ଼ ନିକଟରୁ ଢେଙ୍କାନାଳ ଜିଲା ପୁଲିସ ସ୍ବତନ୍ତ୍ର ଟିମ, ସ୍ବତନ୍ତ୍ର ଟାସ୍କ ଫୋର୍ସ, ମୟୂରଭଞ୍ଜ ପୁଲିସ ଗିରଫ କରି ଥିବା ବେଳେ ଘଟଣା ସଂମ୍ପର୍କରେ ବିସୃତ ସୂଚନା ପ୍ରଦାନ କରି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କାମାକ୍ଷାନଗର ଥାନାରେ ସୋମବାର ଅପରାହନରେ ସାମ୍ବାଦିକ ସମ୍ମିଳନିରେ ସୂଚନା ପ୍ରଦାନ କରିଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ରାକେଶ ଓ ସହଯୋଗୀଙ୍କୁ ସୁପାରୀ ଦେଇ ହତ୍ୟାକାରି ନିରାକାରଙ୍କୁ ହତ୍ୟା କରିବା ପାଇଁ ବ୍ୟବହାର କରିଥିଲେ। ରାକେଶ ତାର ସହଯୋଗୀଙ୍କ ସହ ୬ ଲକ୍ଷ ଟଙ୍କା ସୁପାରୀ ନେଇ ହତ୍ୟା କରିବା ପାଇଁ ଦିବ୍ୟଦର୍ଶନ ସହ ବୁଝାବଣା ହୋଇଥିବା ବେଳେ ଅଧା ଅର୍ଥ ପାଇଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ରାକେଶ ନାମରେ କାମାକ୍ଷାନଗର ଥାନା ସହ ଜଗତସିଂହପୁର ଓ ନୟାଗଡ ଥାନାରେ ଏକାଧିକ ମାମଲା ଥିବାବେଳେ ସହଯୋଗୀ ଦେବ ନାମରେ ମଧ୍ୟ ମୟୁରଭଞ୍ଜ ଅଂଚଳରେ ବିଭିନ୍ନ ଡକାୟତି ମାମଲା ଥିବା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନିରେ ଅତିରିକ୍ତ ଏସି ସୂର୍ଯ୍ୟମଣି ପ୍ରଧାନ, କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଆଇଆଇସି ଶରତ ଚନ୍ଦ୍ର ମହାଳିକ, ଏସଆଇ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଆସାମୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।