ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା ଉଦ୍ୟମ କରି ୨ ବାଲି ମାଫିଆ ଗିରଫ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଓ ହିଞ୍ଜିଳି ତହସିଲ ଅଧୀନ ଧୋବାଡ଼ିପାଟପୁର ଗ୍ରାମ ନିକଟରେ ଚାଲିଥିବା ବାଲି ଚୋରା ଚାଲାଣ ଉପରେ ଚଢ଼ଉ କରିବାକୁ ଯାଇଥିବା ବେଳେ ନନ୍ଦିକ ଓ ବୁରୁପଡ଼ାର ରାଜସ୍ବ ନିରୀକ୍ଷକଙ୍କୁ ୩ ଜଣ ବାଲି ମାଫିଆ ଆକ୍ରମଣ କରିବା ସହ ଟ୍ରାକ୍ଟର୍ ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଉଭୟ ଅଧିକାରୀଙ୍କ ପକ୍ଷରୁ ଗତକାଲି ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୋଗ ପରେ ପୁରୁଷୋତ୍ତମପୁର ପୁଲିସ କେସ୍ ନମ୍ବର ୨୧୯/୨୨ ଦଫା ୩୨୩, ୩୦୭, ୨୯୪, ୧୮୬, ୩୫୩, ୩୪ ଆଇପିସି ଓ ହରିଜନ ଆଦିବାସୀ ନିର୍ଯାତନା ଧାରାରେ ମାମଲା ରୁଜୁ କରି ୨ ଜଣ ବାଲି ମାଫିଆଙ୍କୁ ଗିରଫ କରିଛି। ଗିରଫ ୨ ହେଲେ ଦୀପକ କୁମାର ତ୍ରିପାଠୀ ଓ ତା’ର ସାନ ଭାଇ ସପନ ତ୍ରିପାଠୀ। ଏହି ଘଟଣାରେ ଉଭୟଙ୍କ ବାପା ସାମିଲ ଥିବା ଜାଣି ତାଙ୍କ ବିରୋଧରେ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଏହା ସହ ଏକ ଟ୍ରାକ୍ଟରକୁ ପୁଲିସ ଜବତ କରିଛି।

ସୂଚନାରୁ ଜଣାପଡ଼ିଛି, ଉକ୍ତ ୨ ବାଲି ମାଫିଆ ସ୍ଥାନୀୟ ଜଣେ ବିଜେଡି ନେତାଙ୍କ ନାମ ନେଇ ହିଞ୍ଜିଳି ତହସିଲଦାରଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ବେଆଇନ କାରବାର ଜାରି ରଖିଥିଲେ। ତେବେ ହିଞ୍ଜିଳି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିକ ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଯାନୀ ଓ ବୁରୁପଡ଼ା ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ ୨ ଭାଇଙ୍କ ବେଆଇନ କାରବାର ଉପରେ ଚଢ଼ଉ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଉକ୍ତ ଦୁଇଭାଇ ଉଭୟ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଟ୍ରାକ୍ଟର୍ ମଡ଼ାଇ ମାରି ଦେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନଙ୍କୁ ନୀଚ ଜାତିର କହି ଗାଳିଗୁଲଜ କରିଥିଲେ। ପରେ ଘଟଣା ସଂପର୍କରେ ଉଭୟ ଅଧିକାରୀ ହିଞ୍ଜିଳି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ହିଞ୍ଜିଳି ତହସିଲଦାରଙ୍କ ସୁପାରିଶରେ ପୁରୁଷୋତ୍ତମପୁର ଥାନାରେ ମାମଲା ରୁଜୁ ହୋଇଥିଲା। ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। ଉଭୟଙ୍କ ବାପାଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର