ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା : ପୀଡିତାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ, କୋର୍ଟ ଚାଲାଣ

ଆଜି ଭବାନୀପାଟଣା ଏସଡିଜିଏମ କୋର୍ଟରେ ପୀଡିତାଙ୍କ ୧୬୪ ବୟାନ ରେକର୍ଡ
ଅଭିଯୁକ୍ତ ସରପଞ୍ଚଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟରୁ ବହିଷ୍କାର

ଭବାନୀପାଟଣା :  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଗତକାଲି ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ନେଇ ଗିରଫ ହୋଇ ଜେଲ ଯାଇଥିଲେ । ମଦନପୁର ରାମପୁର ଥାନାରେ ପୀଡିତାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ପୀଡିତାଙ୍କ ଭବାନୀପାଟଣା ଏସଡିଜିଏମ କୋର୍ଟରେ ୧୬୪ ବୟାନ ରେକର୍ଡ କରାଯାଇଥିଲା । ଅଭିଯୁକ୍ତ ସରପଞ୍ଚ ଜେଲ ଯିବା ପରେ ତାଙ୍କୁ ବିଜେଡି ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଗତକାଲି ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇ ଦିଆଯାଇଥିଲା । ଏହି ଘଟଣାର ଜାମିନ ପାଇଁ ଆସନ୍ତା ନଭେମ୍ବର ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ସରପଞ୍ଚ ମଦନପୁର ରାମପୁର ଥାନାରେ ଥିବା ବେଳେ ତାଙ୍କ ସମର୍ଥକମାନେ ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ପୀଡିତାଙ୍କୁ ଥାନା ଭିତରେ ଦୁଇ ଥର ଅତର୍କିତ ଆକ୍ରମଣ କରି ନିର୍ଧୁମ ମାଡ଼ ମାରିଥିଲ । ଏନେଇ ପୁଲିସ ପକ୍ଷରୁ ସବଇନ୍ସପେକ୍ଟର ବିନିତା ଟପ୍ପୋ କେସ ନଂ ୧୯୬ ଦଫା ୩୪୧, ୪୫୨, ୨୯୪, ୩୫୩, ୫୦୬, ୧୪୭, ୧୪୯ରେ ୧୫ ଜଣ ଓ ଅନ୍ୟ ମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ପକ୍ଷରୁ ପୀଡିତାଙ୍କୁ ଆକ୍ରମଣ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଆଜି ପୁଲିସ ପକ୍ଷରୁ ଅଭିଯୁକ୍ତ ସରପଞ୍ଚ ର ଭାଇ ଋଷିନାଥ ସାହୁ(୨୮) ଓ ସମ୍ପର୍କୀୟ ଶେଷଦେଵ ସାହୁ(୩୮)ଙ୍କୁ ଗିରଫ କରି ମଦନପୁର ରାମପୁର ଜେଏମଏଫସି କୋର୍ଟରେ ହାଜର କରିଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବା ପରେ ୨ ଅଭିଯୁକ୍ତଙ୍କୁ ଜେଲକୁ ପଠେଇ ଦିଆଯାଇଛି ।

ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଥିବା ନେଇ ଅନ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ଏହି ଘଟଣା ରେ ସମ୍ପୃକ୍ତ ଥିବା ବହୁ ମହିଳା ଓ ପୁରୁଷ ପୁଲିସ ଭୟରେ ଆତ୍ମଗୋପନ କରିଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ପୀଡିତାଙ୍କୁ ଭବାନୀପାଟଣା ଏସଡିଯେଏମ କୋର୍ଟରେ।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ୧୬୪ ବୟାନ ରେକର୍ଡ କରାଯାଇଥିଲା । ପରେ ତାଙ୍କୁ ଭବାନୀପାଟଣା ସ୍ୱଧାରଗୃହକୁ ପଠା ଯାଇଥିଲା । ଅନ୍ୟ ପକ୍ଷରେ ଅଭିଯୁକ୍ତ ସରପଞ୍ଚ ଜେଲ ଯିବା ପରେ ଆଜି ମଦନପୁର ରାମପୁର ବିଜେଡି ବ୍ଲକ କମିଟିର ସୁପାରିଶ କ୍ରମେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଅଭିଯୁକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାଥମିକ ସଦସ୍ୟପଦରୁ ବହିଷ୍କାର କରିଛନ୍ତି । ଏହି ଘଟଣାରେ ଚାପା ଉତ୍ତେଜନା ଥିବା ଯୋଗୁଁ ମଦନପୁର ରାମପୁର ଥାନାରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ସହିତ ପରିସ୍ଥିତି ଉପରେ ନଜର ରଖା ଯାଇଛି ବୋଲି ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର