ବଣ୍ୟଜନ୍ତୁ ଶିକାର ଅଭିଯୋଗରେ ଦୁଇ ଶିକାରୀଙ୍କୁ କୋର୍ଟ ଚାଲାଣ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ କୁ ଏକ ବଡ଼ ସଫଳତା ମିଳିଛି। ଝରିଗାଁ ରେଞ୍ଜ ସଂରକ୍ଷିତ ଜଙ୍ଗଲ ଦେଇ ଯାଉଥିବା କିଛି ଶିକାରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ଲଛମନ ଜାନୀ (୨୮) ଓ ମାନସିଂ ଜାନୀ (୨୦)।

ସୂଚନା ପ୍ରକାରେ ଝରିଗାଁ ରେଞ୍ଜ ବାହାରକରମରି ବିଟରେ ଗତକାଲି ରାତିରେ ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି ଏବଂ ଗାର୍ଡ ଏନ ବାବାଜୀ ରାଓ ପେଟ୍ରୋଲିଙ୍ଗ କରୁଥିବା ବେଳେ  ପ୍ରାୟ ୯ଟା ୪୦ରେ ଡାହିମାଲ ଗ୍ରାମ ଦେଇ ୩ଟି ବାଇକରେ ୬ ଜଣ ବ୍ୟକ୍ତି ଆସୁଥିଲେ। ବନ ବିଭାଗ ଟିମ ସନ୍ଦେହ କରି ବାଇକ ଆରୋହୀମାନଙ୍କୁ ଅଟକାଉ ଥିବା ବେଳେ ଅନ୍ଧାରର ସୁଯୋଗ ନେଇ ୪ଜଣ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ କାବୁ କରିଥିଲା ପେଟ୍ରୋଲିଂ ଟିମ।

ଅଟକ ଦୁଇ ଜଣଙ୍କୁ ପଚରାଉଚରା ସମୟରେ ଟିମ ଏକ ପୋଲିଥିନରେ କିଛି ଜିନିଷ ଥିବା ଦେଖିବା ସହ ଖୋଲିଥିଲେ ଏବଂ ସେଥିରେ ବନ୍ୟଜନ୍ତୁ କୁଟୁରା ମାଂସ ଥିବା ଜାଣିବା ପରେ ଦୁଇ ଅଭିଯୁକ୍ତଙ୍କୁ  ଗିରଫ କରି ଝରିଗାଁ ରେଞ୍ଜ ଅଫିସ ଆଣିଥିଲେ। ଅଟକ ଦୁଇ ଜଣ ଗାଇବନ୍ଧା ଗ୍ରାମର ଲଛମନ ଜାନୀ ଏବଂ ମାନସିଂ ଜାନୀଙ୍କ ସହ ୩ଟି ବାଇକ (ଓଡ଼ି ୦୮ ଏ ୨୮୩୩, ଓଡ଼ି ୨୪ ଏଫ ୧୩୨୫ ଓ ସିଜି ୨୩ ଏଫ ୫୭୯୫) ସହ ଗୋଟିଏ ମୋବାଇଲ ସହିତ ୨କେଜି ୩ଶହ ଗ୍ରାମ କୁଟ୍ରାମାଂସ ଜବତ କରାଯାଇଛି।

ଆଜି ସକାଳୁ ଦୁଇ ଅଭିଯୁକ୍ତଙ୍କୁ ବିଭାଗ ପକ୍ଷରୁ କେସ ନ ୧୮୬/୨୨ ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତେ କଳାହାଣ୍ଡି ଜିଲ୍ଲା ସାହାଜଖଲ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର କରି ନିଜ ଘର ଗାଇବନ୍ଧା ଗ୍ରାମ ଅଭିମୁଖେ ଫେରୁଥିଲେ।ଫେରାର ଥିବା ଅନ୍ୟ ୪ଜଣଙ୍କ ସମ୍ପର୍କରେ ବନ ବିଭାଗକୁ କିଛି ସୂଚନା ମିଳିନଥିବା ବେଳେ ଆଗକୁ ଅଧିକ ତଦନ୍ତ ହେଲେ ବଣ୍ୟଜନ୍ତୁ ଶିକାରୀ ରାକେଟ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।

ସମ୍ବନ୍ଧିତ ଖବର